ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ ବାଧ୍ୟତାମୂଳକ ! ପ୍ରେସ ରିଲିଜରେ ସ୍ପଷ୍ଟ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ 

53

କନକ ବ୍ୟୁରୋ : ବ୍ୟାଙ୍କ ଆକାଉଂଟରେ ଆଧାର ଲିଙ୍କ ବାଧ୍ୟତାମୂଳକ । ପ୍ରେସ ରିଲିଜରେ ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । କିଛି ଦିନ ହେବ ଏନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ଆରବିଆଇ ପକ୍ଷରୁ ସ୍ପଷ୍ଟ  କରାଯାଇଛି । ଜୁନ ୧ରେ ଏନେଇ ବିଜ୍ଞପ୍ତ ଜାରି ହୋଇଥିଲା ।  ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରିଭେନସନ ଅଫ ମନି ଲଣ୍ଡରିଂ ସେକେଣ୍ଡ ଆମେଂଡମେଂଟ ନେଇ ଜୁନ୍ ୧, ୨୦୧୭ରେ ପ୍ରକାଶିତ ହୋଇଥିବା ଗେଜେଟ ନୋଟିଫିକେସନ ଆଧାରରେ ଆରବିଆଇ ଏହି ତଥ୍ୟ ରଖିଛି । ବ୍ୟାଙ୍କ ଗୁଡିକ ବିନା କୈାଣସି ନିର୍ଦ୍ଦେଶକୁ ଅପେକ୍ଷା କରିବା ବଦଳରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆରବିଆଇ କହିଛି । ଯେତେବେଳେ ଆଧାରକୁ ନେଇ ସାରା ଦେଶରେ ବଡ ଧରଣର ବିବାଦ ଚାଲିଛି ଓ ଆସନ୍ତା ମାସରେ ଆଧାର ବାବଦରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି, ଠିକ ସେତିକି ବେଳେ ଆରବିଆଇର ଏହି ସ୍ପଷ୍ଟୀକରଣ ନାନା ବିବାଦ ସୃଷ୍ଟି କରିଛି । ତେବେ ଏନେଇ ଅନେକ ପ୍ରଶ୍ନ ମଦ୍ୟ ଉଠୁଛି ।

– ଆଧାର ନେଇ ଆରବିଆଇ ଓ ବ୍ୟାଙ୍କଗୁଡିକ ମଧ୍ୟରେ ସମନ୍ୱୟର ଅଭାବ ରହୁଛି କି?

– ଖାତାଧାରୀ ସାମ୍ନା କରୁଥିବା ସମସ୍ୟା ବାବଦରେ ବ୍ୟାଙ୍କ ଅବଗତ ରହୁଛି ତ?

ଗତକାଲି ବିଜେଡି ସାଂସଦ ତଥାଗତ ସତପଥୀ ଏକ ଜାତୀୟ ଗଣମାଧ୍ୟମର ତଥ୍ୟ ଆଧାରରେ ବ୍ୟାଙ୍କ ଆକାଉଂଟ ଓ ଆଧାର ଲିଙ୍କ ବାଧ୍ୟତାମୂଳକ ନୁହେଁ ବୋଲି ଟ୍ୱିଟ କରିଥିଲେ । ଏହି ଖବର ପରେ ବ୍ୟାଙ୍କ ଆଧାର ଲିଙ୍କ ନେଇ ଦ୍ୱନ୍ଦ ଅଧିକ ବଢିଥିଲା  । ଏହା କେନ୍ଦ୍ର ସରକାରଙ୍କର କେବଳ ଯୋଜନା ଏବଂ ଏହା ପଛରେ  ଆରବିଆଇ ମତ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଆଜି ଏନେଇ ଆରବିଆଇ  ସ୍ପଷ୍ଟୀକରଣ ପରେ ଏହା ସ୍ପଷ୍ଟ ହୋଇଛି । ଆଧାର କାର୍ଡ଼ ସଯୋଗକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ସାଧାରଣ ଲୋକେ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବା ପାଇଁ ମିଳୁଥିଲା ।

ତେବେ ଏବେ ସବୁ କଥା ସ୍ପଷ୍ଟ ହୋଇଯାଇଛି । ଗୋଟିଏ ଆଧାରରେ ଗୋଟିଏ ବ୍ୟାଙ୍କ ପାସବୁକ୍ ଲିଂକ ହେଉଥିବା ବେଳେ, ଡିବିଟିରେ ଫାଇଦା ପାଉଥିବା ଆକାଉଂଟଧାରୀ ନାନା ସମସ୍ୟା ସାମ୍ନା କରୁଛନ୍ତି । ଯାହାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ବଡ କଥା ହେଉଛି, ଗତ ଅଗଷ୍ଟରେ ସୁପ୍ରିମକୋର୍ଟ କହିଥିଲେ, ବ୍ୟକ୍ତିଗତ ଗୋପନୀୟତା ମୌଳିକ ଅଧିକାର । ଯାହାପରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରିବା ନେଇ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ବଡ ପ୍ରଭାବ ପଡିବାର ଆଶଙ୍କା କରାଯାଉଛି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବାକୁ ହେଲେ ଆଧାର ବାଧ୍ୟତାମୂଳକ ନେଇ କେନ୍ଦ୍ରର ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ୩ଟି ପିଟିସନ୍ ଫାଇଲ ହୋଛି । ସେଦୃଷ୍ଟିରୁ ଆଧାରର ଭବିଷ୍ୟତ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିବା ବେଳେ, ଆଧାର ବାଧ୍ୟତାମୁଳକ କରିବା ପ୍ରସଙ୍ଗ ପୁଣି ବିବାଦକୁ ଟାଣି ଆଣିଛି ।

ସରକାର ଗତ ଜୁନ୍ ମାସରେ ବ୍ୟାଙ୍କ ଖାତା ଖୋଲିବା ଓ ୫୦ ହଜାର କିମ୍ବା ତାଠାରୁ ଅଧିକ ଟ୍ରାନଜାକ୍ସନ କରିବା କ୍ଷେତ୍ରରେ ଆଧାରକୁ ବାଧ୍ୟତାମୂଳକ କରିଥିଲେ । ସେହିଭଳି ୩୧ ଡିସେମ୍ବର ୨୦୧୭ ସୁଦ୍ଧା ସମସ୍ତ ବ୍ୟାଙ୍କ ଖାତାକୁ ଆଧାର ସହ ସଂଯୋଗ କରିବାକୁ କହିଥିଲେ । ଆଧାର ସଂଯୋଗ ନଥିବା ବ୍ୟାଙ୍କ ଖାତା ଅଚଳ ହୋଇଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍(ଆରଟିଆଇ) ଆଧାରରେ ଏକ ପ୍ରଶ୍ନ ପତ୍ର ଜାରି ହୋଇଥିଲା ।

ଏହି ପ୍ରଶ୍ନ ପତ୍ରର ଉତ୍ତରରେ ଏବେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପକ୍ଷରୁ ନିକଟରେ ଜବାବ ଆସିଥିଲା ଯେ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପକ୍ଷରୁ ସେପରି କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ ।  ମାତ୍ର ଆଜି ତା’ର ମତ ସ୍ପଷ୍ଟ କରିଛି । ବଜେଟ ୨୦୧୭ ଉପସ୍ଥାପନ ବେଳେ ପ୍ୟାନ୍ କାର୍ଡ ସହ ମଧ୍ୟ ଆଧାରକୁ ଲିଂକ ଅନିବାର୍ଯ୍ୟ କରାଯାଇଥିଲା । ଏକାଧିକ ପ୍ୟାନ୍ ବ୍ୟବହାର କରି ଟିକସ ଠକିବାର ଧାରାକୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଥିଲା ।