ବିକ୍ରି ହେଉଛି ଆଧାର ତଥ୍ୟ ! ୫୦୦ ଟଙ୍କାରେ ମିଳୁଛି ଡିଟେଲ, ସରକାରଙ୍କ ଆଧାର ତଥ୍ୟ ସୁରକ୍ଷିତ ଦାବି ଉପରେ ଲାଗିଲା ପ୍ରଶ୍ନଚିହ୍ନ

29

କନକ ବ୍ୟୁରୋ : ମାତ୍ର ୫୦୦ ଟଙ୍କା ଦେଇ ଆପଣ କାହାରି ବି ଆଧାରର ସମସ୍ତ ତଥ୍ୟ ପାଇପାରିବେ । କେବଳ ସେତିକି ନୁହେଁ ଆପଣ ଅଧିକ ୩୦୦ ଟଙ୍କା ଦେଲେ ତାହା ପ୍ରିଂଟ କରି ପାରିବେ । ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସରକାର ବାରମ୍ବାର ଆଧାର ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରୁଥିବା ବେଳେ ଏହା କିପରି ବିକ୍ରି ହେଉଛି ତାହା ଏବେ ଜଣାପଡିଛି । ଫଳରେ ସରକାରଙ୍କ ଦାବି ଯେ ଭୁଲ ତାହା ପ୍ରମାଣିତ ହୋଇଛି ।

ଆଧାର କାର୍ଡର ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଧରଣର ତ୍ରୁଟି ଆସିଥିବା ଅଭିଯୋଗ ହୋଇଛି । ଜାତୀୟ ଗଣମାଧ୍ୟମ ଟ୍ରାଇବୁନରେ ପ୍ରକାଶିତ ରିପୋର୍ଟ ଅନୁଯାଇ ଜଳନ୍ଧରରେ ଆଧାର ସଫ୍ଟୱେରକୁ ହ୍ୟାକ କରାଯାଇଛି । ୟୁନିକ ଆଇଡେଂଟିଫିକେସନ ଅଥରିଟି ଅଫ ଇଣ୍ଡିଆଙ୍କ ଆଡମିନ ପାସୱାର୍ଡ ଲିକ କରାଯାଇ ଲକ୍ଷ ଲକ୍ଷ ଲୋକଙ୍କ ଆଧାରକାର୍ଡର ଗୋପନୀୟ ତଥ୍ୟ ପ୍ରଘଟ ହୋଇଥିବା ଜଣା ପଡିଛି । ଏମିତିକି ଜଣେ ସାମ୍ବାଦିକ ଇଂଟରନେଟରେ ଏକ ଗ୍ରୁପ ଜରିଆରେ ମାତ୍ର ୫୦୦ଟଙ୍କା ଦେଇ ଏହି ତଥ୍ୟ ପାଇଥିବା କୁହାଯାଉଛି । ଚଣ୍ଡିଗଡ ଆଂଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏହାକୁ ସ୍ୱୀକାର କରିଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟ କର୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି ।