ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ପ୍ରସଙ୍ଗ । ଏଡିଜି କହିଲେ ଛତିଶଗଡ଼ ପୋଲସ ସହିତ ମିଶି ଘଟଣାର ତଦନ୍ତ କରାଯାଉଛି

25

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ପ୍ରସଙ୍ଗ । ପୋଲିସ୍ ଡିଜି ଇନଚାର୍ଜ ସନ୍ତୋଷ ଉପାଧ୍ୟାୟଙ୍କ ସୂଚନା, ଏହି ମାମଲାରେ ଛତିଶଗଡ ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ୍ । ଏହି ମାମଲାରେ ତଦନ୍ତ ଜାରି ରହିଛି ତଦନ୍ତ ପରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତିି ପୋଲିସ୍ ଏଡିଜି ସନ୍ତୋଷ ଉପାଧ୍ୟୟ । ସେ କହିଛନ୍ତି ଏନେଇ ଗୃହ ବିଭାଗ ପକ୍ଷରୁ ପୂର୍ବରୁ ଆଲର୍ଟ କରାଯାଇଥିଲା । ଛତିଶଗଡ଼ ବିଳାସପୁର କେନ୍ଦ୍ରୀୟ ଜେଲରେ କଏଦୀ ଥିବା ଜଣେ କୁଖ୍ୟାତ ଅପରାଧୀ ଏପରି ଧମକପୂର୍ଣ୍ଣ ଚିଠି ଲେଖିଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଛତିଶଗଡ଼ ସରକାରଙ୍କୁ ଜଣାଇ ଦିଆଯିବା ସହ ଉତରକୁ ଅପେକ୍ଷା କରିଛି ଓଡ଼ିଶା ପୋଲିସ ।

ସୂଚନା ମୁତାବକ ଛତିଶଗଡ଼ ବିଳାସପୁର ଜେଲରେ ଦଣ୍ଡ ଭୋଗୁଥିବା ପୁଷ୍ପେନ୍ଦ୍ର ଚୌହାନ ନାଁରେ ରହିଛି ଏକାଧିକ ମାମଲା । ବର୍ତ୍ତମାନ ବ୍ୟାଙ୍କ ଡକାୟତି ମାମଲାରେ ବିଳାସପୁର ଜେଲରେ ଦଣ୍ଡ ଭୋଗୁଛି କୁଖ୍ୟାତ ଡକାୟତ ପୁଷ୍ପେନ୍ଦ୍ର ଚୌହାନ । ଗତକାଲି ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ଧମକପୂର୍ଣ୍ଣ ଚିଠି ଲେଖିଥିବା ଘଟଣା ପ୍ରକାଶ ପାଇଥିଲା । ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । ଯେଉଁଥି ପାଇଁ ଛତିଶଗଡ଼ ପୋଲିସ ସହ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା କଏଦୀର ମାନସିକ ସ୍ଥିତି ଯାଞ୍ଚ କରାଯିବ ବୋଲି ଏଡିଜି କହିଛନ୍ତି ।