କାଷ୍ଟିଂ କାଉଚର ନୂଆ ଫର୍ଦ୍ଦ : ଅଭିନେତ୍ରୀ ଉପାସନାଙ୍କ ବିରୋଧରେ ପ୍ରଯୋଜକ ଆଣିଲେ ବ୍ଲାକ ମେଲିଂ ଅଭିଯୋଗ

39

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆସିଲା କାଷ୍ଟିଂ କାଉଚର ଏକ ନୂଆ ଫର୍ଦ୍ଦ । କାଷ୍ଟିଂ କାଉଚ ବ୍ଲାକମେଲିଂ । ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଫିଲ୍ମ ପ୍ରଯୋଜକ । ଓଏସଆର ଏନଂଟରଟେନମେଂଟର ରାଜେଶ ପତି ଏଭଳି ଏକ ଅଭିଯୋଗ ଆଣିଛନ୍ତି । ଏକ ନୂଆ ଓଡିଆ ଫିଲ୍ମ ଗୁଡିଆ ରାଣୀ ପ୍ରସ୍ତୁତି ପାଇଁ ସେ ସମ୍ବିତ ଆଚାର୍ଯ୍ୟ ଓ ପ୍ରଣୟ ଜେଟିଙ୍କ ସହିତ ଯୋଗାଯୋଗ କରିଥିଲେ । ପରବର୍ତୀ ସମୟରେ ଏହି କାମ ହାତକୁ ନେବା ପାଇଁ ରାଜେଶଙ୍କ ସହ ସଂପର୍କରେ ଆସିଥିଲେ ଜୟଶ୍ରୀ ସନ୍ତୋଷୀ ମାତା ସଂସ୍ଥାର ବବଲି କିରଣ ଗୌଡ ଏବଂ ଶଙ୍କର ଗୌଡ । ଅନ୍ୟପଟେ ଏହି ଫିଲ୍ମର ମୁଖ୍ୟ ନାୟିକା ଭାବେ ସାଇନ୍ କରିଥିଲେ ଉପାସନା ମହାନ୍ତି । ଏମାନେ ସମସ୍ତେ ବିଭିନ୍ନ ପର୍ଯ୍ୟାୟରେ ଚେକ୍ ଓ ନଗଦ ଟଙ୍କା ଆକାରରେ ମୋଟ ୩୫ଲକ୍ଷ ଟଙ୍କା ନେଇଥିଲେ ବୋଲି କହିଛନ୍ତି ପ୍ରଯୋଜକ । ଅନ୍ୟପଟେ ହାଇଦ୍ରାବାଦ ଓ ମନାଲିରେ ଫିଲ୍ମ ଗୁଡିଆ ରାଣୀର ମାତ୍ର ୧୦ ଦିନର ସୁଟିଂ ହେବା ପରେ ଫିଲ୍ମ ଆଗେଇ ପାରିନଥିଲା । ଏମାନେ ସମସ୍ତେ ମିଳିତ ଭାବେ ଚକ୍ରାନ୍ତ କରି ତାଙ୍କ ଟଙ୍କା ହଡପ କରିନେଇଥିବା ଅଭିଯୋଗ କରିଛନ୍ତି ରାଜେଶ ପତି ।

ଟଙ୍କା ଫେରାଇବା ନେଇ ସେ ବାରମ୍ବାର ବବଲି କିରଣ ଗୌଡ, ଶଙ୍କର ଗୌଡ, ଅଭିନେତ୍ରୀ ଉପାସନା ଓ ତାଙ୍କ ବାପା ମାଆଙ୍କୁ ଯୋଗାଯାଗ କରିଥିଲେ ମଧ୍ୟ ବିଭିନ୍ନ ବାହାନା କରିଥିଲେ ଏମାନେ । ଶେଷରେ ଏମାନେ ସମସ୍ତେ ତାଙ୍କୁ ହତ୍ୟା ଧମକ ଦେବା ସହ କାଷ୍ଟିଂ କାଉଚ୍ ମାମଲାରେ ଫସାଇବା ପାଇଁ ଧମକ ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି ରାଜେଶ ପତି । ଏପରିକି ଏହି ଘଟଣା ନେଇ ଭୁବନେଶ୍ୱର ଏୟାର ଫିଲ୍ଡ ଥାନାକୁ ଏକାଧିକ ଥର ଅଭିଯୋଗ ପାଇଁ ଯାଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରି ନଥିବା ରାଜେଶ କହିଛନ୍ତି ।

ସେପଟେ ଏହି ଅଭିଯୋଗ ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି । ବର୍ତମାନ ସେ ରାଜ୍ୟ ବାହାରେ ଅଛନ୍ତି ଏବଂ ଓଡିଶା ଫେରିଲେ ଏହି ଅଭିଯୋଗ ଭିତିହୀନ ବୋଲି ପ୍ରମାଣ ଦେବେ।