ରାତି ଅଧରେ ହିରୋଇନଙ୍କୁ ହଇରାଣ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଅଭିନେତ୍ରୀଙ୍କ ରେକର୍ଡ ବୟାନ କଲା ପୋଲିସ, ରୋଡ୍ ରୋମିୟୋଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ।

2,624

କନକ ବ୍ୟୁରୋ : ରାତି ଅଧରେ ରାଜଧାନୀରେ ଅଭିନେତ୍ରୀଙ୍କୁ ପିଛା କରି ଯୁବକଙ୍କ କମେଂଟ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିନେତ୍ରୀଙ୍କ ଘରେ ପହଂଚି ବୟାନ ରେକର୍ଡ କରିଛି ପୋଲିସ । ଏହାସହ ଦୁର୍ବୃତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏଯାଏଁ ବାଇକରେ ଥିବା ରୋଡ ରୋମିଓ ଧରା ପଡି ନାହାଁନ୍ତି ।

ରାତି ୧୨ଟାରେ ହାଇୱେ ଉପରେ ସାପ ଖେଳାଇଲା ଭଳି ଗାଡି ଚଲାଉଥିଲେ । ମଦ ପିଇ ସାର୍ଟ ଖୋଲି ସ୍ମାର୍ଟସିଟି ଛାତିରେ ରାଜ କରୁଥିଲେ ବାଇକରେ ଯାଉଥିବା ଏହି ଯୁବକ ମାନେ । ଏହି ଘଟଣାର ଠିକ ପରର ଏହି ଦୃଶ୍ୟକୁ କଏଦ କରିଥିଲେ କାରରେ ଯାଉଥିବା ଅଭିନେତ୍ରୀ ମାନେ । ଅବଶ୍ୟ ଯେତେବେଳେ ମୋବାଇଲରେ ଏହାର ରେକର୍ଡିଂ ଆରମ୍ଭ କଲେ, ସେତେବେଳେ ବାଇକରେ ଯାଉଥିବା ଦୁର୍ବୁତ ମାନେ ଟିକିଏ ଶାନ୍ତ ପଡିଥିଲେ ।

ଖୋର୍ଦ୍ଧାର ସାରୁଓରେ ଏକ ସିରିଏଲ ସୁଟିଂ ପରେ ଅଭିନେତ୍ରୀ ଓ କିଛି କଳାକାର ଘରକୁ ଫେରୁଥିଲେ । ଏହି ସମୟରେ ବାଇକରେ ଥିବା ୨ଜଣ ଦୁର୍ବୁତ ସେମାନଙ୍କୁ ଫଲୋ କରି ଗାଳିଗୁଲଜ କରିବା ସହ ମଦ ବୋତଲରେ ନିଆଁ ଲଗାଇ ଫିଙ୍ଗିବାକୁ ବି ଚେଷ୍ଟା କରିଥିଲେ । ଏହି ଘଟଣାକୁ ନେଇ ଭୟରେ ସିଧା ଥାନାରେ ଯାଇ ପହଂଚିଥିଲେ କଳାକାର ମାନେ । କିନ୍ତୁ ପୁଲିସ ଏହାକୁ ହାଲୁକା ଭାବେ ନେଇ ଅଭିନେତ୍ରୀଙ୍କୁ ବିଦା କରି ଦେଇଥିଲା । ଏକ ଭୟର ବାତାବରଣ ଭିତରେ କାରରେ ଥିବା ଅଭିନେତ୍ରୀ ଓ କଳାକାର ଡାଏଲ ୧୦୦କୁ ଫୋନ କରି କୌଣସି ମତେ ଘରେ ପହଂଚି ଯାଇଥିଲେ ।

ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଏହି ଖବରକୁ କନକ ନ୍ୟୁଜ ପ୍ରସାରଣ କରିଥିଲା । ଅନ୍ୟପଟେ ପୁଲିସ କମିଶନର ଏନେଇ ଖବର ପାଇବା ପରେ ଟ୍ୱିଟ କରିଥିଲେ, ସେ ବ୍ୟକ୍ତିଗତ ଭାବରେ ମହିଳା ଓ ଡାଏଲ ୧୦୦ର ଅପରେଟରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ସମ୍ପୂର୍ଣ୍ଣ ଶୁଣିଛନ୍ତି । ଘଟଣାକୁ ପେସାଦାର ଢଙ୍ଗରେ ପରିଚାଳନା କରାଯାଇଛି ବୋଲି ଲେଖିଛନ୍ତି କମିଶନର । ଏହାକୁ ଗଣମାଧ୍ୟମ ଅତିରଞ୍ଜନ କରିବା ଉଚିତ ନୁହେଁ । ବ୍ୟକ୍ତିଗତ ସୁରକ୍ଷା ଦୃଷ୍ଟିରୁ କଲ ରେକର୍ଡ ଜାରି କରିବେ ନାହିଁ ବୋଲି ଲେଖିଛନ୍ତି କମିଶନର ।

ଖୁସି ଖବର ହେଉଛି ଏହାରି ଭିତରେ ଗତକାଲି ରାତିରେ ପୋଲିସର ଏକ ତଦନ୍ତକାରୀ ଦଳ ଅଭିନେତ୍ରୀଙ୍କ ଘରେ ପହଂଚି ବୟାନ ରେକର୍ଡ କରିବା ସହ, ମାମଲା ରୁଜୁ କରିଛି । ତେବେ ଏଯାଏଁ ବାଇକରେ ଥିବା ରୋଡ ରୋମିଓ ଧରା ପଡିନାହାନ୍ତି ।