ଲଘୁଚାପ ବର୍ଷାରେ ଫିକା ପଡିଲା ଦୀପାବଳି ମାହୋଲ : ସେପଟେ ଲୋକଙ୍କ ମନରେ ହସ ଭରିଲେ ଓଲିଉଡ ଅଭିନେତ୍ରୀ ବର୍ଷା ଓ ଏଲିନା

104

କନକ ବ୍ୟୁରୋ : ଲଘୁଚାପ ବର୍ଷା ଦୀପାବଳିକୁ ଫିକା କରି ଦେଇଥିବା ବେଳେ ଲୋକଙ୍କ ମନରେ ହସ ଖୁସିର ରଂଗ ଲଗାଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ଏଲିନା ଦାସ । ଯାଜପୁର ଜିଲ୍ଳା ଧର୍ମଶାଳାର ବିଭିନ୍ନ ଅଂଚଳରେ ବୁଲି ଲୋକଙ୍କ ସହ ଦୀପାବଳି ମନେଇଛନ୍ତି ବର୍ଷା ଓ ଏଲିନା । ହରିଦାସପୁର କୋଶଳିଆ ସାହିରେ ମହିଳା ଏବଂ କୁନି କୁନି ପିଲାଙ୍କୁ ଲଡୁ ବାଂଟି, ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ ଦୁଇ ଅଭିନେତ୍ରୀ ।

ଏହାପରେ କ୍ଷେତ୍ରପାଳ ହାଇସ୍କୁଲରେ ଛାତ୍ରଛାତ୍ରାଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ ବର୍ଷା ଓ ଏଲିନା । ଏମାନଙ୍କ ସହ ଏହି ନିଆରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ । ଏତିକିରେ ଏମାନଙ୍କ ଦୀପାବଳି ସରି ନଥିବା, ଜାରକାରେ ଏକ ସିନେମା ହଲରେ ମହିଳାଙ୍କ ସହ ମିଶି ନିଜ ସିନେମା ଦେଖଥିଲେ ବର୍ଷା ପ୍ରିୟଦର୍ଶୀନି ।

ଅଭିନେତ୍ରୀ ବର୍ଷା ଓ ଏଲିନାଙ୍କୁ ଦେଖିବା ପାଇଁ ଜାରକା ସିନେମା ହଲ ଆଗରେ ଲାଗିଥିଲା ପ୍ରବଳ ଭିଡ । ଏହାରି ଭିତରେ ନଜରକୁ ଆସିଥିଲେ ବଡଚଣା ବାଘୁଆ ଗାଁର ୬୫ବର୍ଷୀୟ ଭିନ୍ନକ୍ଷମ ଅନନ୍ତ ସ୍ୱାଇଁ । ବର୍ଷାଙ୍କୁ ଦେଖିବା ପାଇଁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ସିନେମା ହଲ ଆଗରେ ଅପେକ୍ଷା କରିଥିଲେ ଅନନ୍ତ । ଶେଷରେ ସିନେମା ହଲରୁ ବାହାରି ବର୍ଷା ଆଦର ସମ୍ଭାଷଣ ଜଣାଇଥିଲେ ଭିନ୍ନକ୍ଷମ ଜଣଙ୍କୁ ।

ଲଘୁଚାପ ଜନିତ ବର୍ଷା ଦୀପାବଳି ଖୁସିକୁ ଧୋଇଦେଉଥିବା ବେଳେ ବର୍ଷା ଓ ଏଲିନାଙ୍କ ଗସ୍ତ ଧର୍ମଶାଳାବାସୀଙ୍କୁ ବେଶ୍ ଆନନ୍ଦ ଦେଇଛି ।