ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପ‌ରେ ଲାଗିଲା ଟାକ୍ସ ଚୋରିର ଆରୋପ । ପଚରାଉଚରା କରୁଛି ଆୟକର ବିଭାଗ ।

257

କନକ ବ୍ୟୁରୋ : ସବୁବେଳେ ନିଜର ଫିଲ୍ମ ଓ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ ଟାକ୍ସ ଚୋରିର ଆରୋପ ଲାଗିଛି । ସତ କ’ଣ ତାହା ଜାଣିବା ପାଇଁ ଏବେ ତାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରାଉଚରା କରୁଛନ୍ତି । ଏହା ସହ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ ଯାଞ୍ଚ ଚାଲିଥିବା ବେଳେ ଫିଲ୍ମ ଫାଇନାନସର ଅମ୍ବୁ ଚେଲିୟନଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ ।

ସୂଚନା ମୁତାବକ, ଏଜିଏସ୍ ସିନେମା ବ୍ୟାନର ଅଧିନରେ ସାଉଥ୍ ସୁପରଷ୍ଟାର ବିଜୟଙ୍କ ଫିଲ୍ମ ବିଗିଲ୍ ନିର୍ମାଣ କରାଯାଇଥିଲା । ଏବେ ଏଜିଏସ୍ ସିନେମାର ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠୁଥିବାରୁ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ସାଉଥ୍ ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗର କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି । ଫିଲ୍ମଟି ସାରା ଦେଶରେ ୩୦୦କୋଟି ଟଙ୍କା ଆୟ କରିଥିବା ବେଳେ ଏହାର ବଜେଟ ୧୮୦କୋଟି ଥିଲା ବୋଲି କହିଥିଲେ ନିର୍ମାତା ଅର୍ଚ୍ଚନା କଳ୍ପନାଥୀ । ଏବେ ଏଜିଏସ୍ ସିନେମା ଉପରେ ଟାକ୍ସ ଚୋରିର ଆରୋପ ଲାଗିବା ପରେ ବୁଧବାର ସକାଳଠାରୁ ଏଜିଏସ୍ ଏଣ୍ଟରପ୍ରାଇସେସରେ ଚଢ଼ାଉ କରି ଯାଞ୍ଚ ଆରମ୍ଭ କରିଛି ଆୟକର ବିଭାଗ । ଏ ପର୍ଯ୍ୟନ୍ତ ଏଜିଏସ୍ ସିନେମା ଉପରେ ଲାଗିଥିବା କୌଣସି ଆରୋପ ପ୍ରମାଣିତ ହୋଇପାରି ନାହିଁ ।