ବଢୁଛି ପାରଦ, ଜମୁଛି ପ୍ରଚାର! ପ୍ରଚାର ମୈଦାନରେ ବଲିଉଡ଼, ଓଲିଉଡ଼ ଓ ଜଲିଉଡ଼ କଳାକାର । ଭିନ୍ନ ଭିନ୍ନ ତରିକାରେ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ।

499

କନକ ବ୍ୟୁରୋ: ଜମୁଛି ପ୍ରଚାର ମୈଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନର୍ବାଚନ ପାଖେଲା ବେଳକୁ ଘମାସାନ ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ପ୍ରାର୍ଥୀ । ଏହି ମର୍ମରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି । ବରୀର ବିଜେଡି ପ୍ରାର୍ଥି ସୁନନ୍ଦା ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଏକ ନିର୍ବାଚନୀ ସଭା ପ୍ରଚାରରେ ସାମିଲ ହୋଇଥିଲେ ଓଲିଉଡର ଅଭିନେତା ରାଇମୋହନ ପରିଡା । ଗାୟିକା ନଭ୍ୟା ଜାଇତି, କମେଡିଆନ ନନସେନ୍ସ ମଣି ।

ନିର୍ବାଚନୀ ପ୍ରଚାର ସମୟରେ କଳାକାରଙ୍କ ଉପସ୍ଥିତିକୁ ବେଶ୍ ମଜା ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଭରପୁର କମେଡି ସାଙ୍ଗକୁ ନଭ୍ୟାଙ୍କ ଗୀତ ଓ ରାଇମୋହନଙ୍କ ଦମଦାର ଡାଇଲଗକୁ ଲୋକେ ବେଶ ଉପଭୋଗ କରିଥିଲେ । ଏହି ସମାବେଶରେ ଯାଜପୁର ଲୋକସଭା ପ୍ରାର୍ଥି ଶର୍ମିଷ୍ଠା ସେଠୀ ମଧ୍ୟ ଯୋଗଦେଇ ପ୍ରଚାର କରିଥିଲେ । ସଭା ଆରମ୍ଭରୁ ନାଭ୍ୟାଙ୍କ ଗୀତ ଓ ରାଇମୋହନଙ୍କ ଦମଦାର ଡାଇଲଗ୍ ନେତା ଓ କର୍ମୀଙ୍କ ମନମୋହିଥିଲା ।

ଅନ୍ୟପଟେ ସମ୍ବଲପୁର କୁଚିଣ୍ଡାରେ ବଲିଉଡ୍ ଷ୍ଟାର । କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର କରିଛନ୍ତି ଅଭିନେତା ଗୁଲସନ ଗ୍ରୋଭର ଓ ରିମି ସେନ । ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ନଳୀନି ପ୍ରଧାନ ଓ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ କିଶୋର ନାଏକଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଗୁଲସନ ଓ ରିମି । ବାମରା ମକର ପଡିଆରେ ବିଜେଡି ପକ୍ଷରୁ ଆୟୋଜିତ ଜନ ସମାବେଶରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ବଲିଉଡର ଏହି ଦୁଇ ଷ୍ଟାରଙ୍କୁ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ଝାରସୁଗୁଡା ବିଧାୟକ ପ୍ରାର୍ଥୀ ନବ ଦାସ ମଧ୍ୟ ଏହି ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଶୁକ୍ରବାର ଦିନ ବିଜେଡି ପ୍ରାର୍ଥୀଙ୍କ ପାଇଁ ରେଙ୍ଗାଲୀରେ ପ୍ରଚାର କରିଥିଲେ ବଲିଉଡ୍ ଷ୍ଟାର ଅମିଷା ପଟେଲ ଓ ଅଫତାବ ଶିବଦାସନି । ତେବେ ପ୍ରଚାର ମୈଦାନରେ କଳାକାରଙ୍କୁ ଉତାରି ଜନସମର୍ଥନ ସାଉଣ୍ଟିବାକୁ ଚାହୁଁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ହେଲେ ଆଗାମୀ ଦିନରେ ଏହା କେତେ ଫଳପ୍ରଦ ହେବ ତାହା ଆସନ୍ତା ମେ’ ୨୩ ତାରିଖ ଫଳାଫଳରୁ ହିଁ ଜଣାପଡ଼ିବ ବୋଲି ରାଜନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।