ପୁରୀ ଶ୍ରୀମନ୍ଦିରରେ ଉତ୍ତେଜନା । ଧାଡି ଦର୍ଶନ ବ୍ୟବସ୍ଥାକୁ ପ୍ରବଳ ବିରୋଧ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ । ଜାଣନ୍ତୁ ଧାଡି ଦର୍ଶନରେ କଣ ହେବ ଅସୁବିଧା?

114

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ପ୍ରବଳ ବିରୋଧ । ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟଦ୍ୱାର ସମେତ ବିଭିନ୍ନ ଦ୍ୱାରରେ ଧସେଇ ପଶିଛନ୍ତି । ୨ଟି ସ୍କାନର ମେସିନ, ୪ଟି ମେଟାଲ ଡିଟେକ୍ଟର ଭାଙ୍ଗିବା ସହ ଚାରିଦ୍ୱାରରେ ଲାଗିଥିବା ହୋର୍ଡିଂକୁ ଚିରି ଦେଇଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜୋତାଷ୍ଟାଣ୍ଡକୁ ଭାଙ୍ଗିଦେଇଛନ୍ତି । ଏହାକୁ ନେଇ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଧାଡି ଦର୍ଶନକୁ ବିରୋଧ ସହ ୯ ଦଫା ଦାବିରେ ପୁରୀରେ ଆଜି ଶ୍ରୀଜଗନ୍ନାଥ ସେନା ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ।

ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଫଳରେ ପୁରୀ ଏକପ୍ରକାର ଠପ୍ ହୋଇଯାଇଛି । ଦୋକାନବଜାର ବନ୍ଦ ରହିଛି । ୯ ଦଫା ଦାବି ନେଇ ପୁରୀରେ ଆନ୍ଦୋଳନକାରୀ ସକାଳୁ ସକାଳୁ ବିରାଟ ର‌୍ୟାଲି ବି କରିଛନ୍ତି । ଏଥିରେ ଶହ ଶହ ଲୋକ ସାମିଲ ହୋଇଛନ୍ତି । ଧାଡି ଦର୍ଶନକୁ ବିରୋଧ କରିବା ସହ ସାମ୍ବାଦିକଙ୍କୁ ମାଡ, ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ଇତ୍ୟାଦିକୁ ପ୍ରସଙ୍ଗକୁ ନେଇ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛନ୍ତି ।

ଧାଡି ଦର୍ଶନରେ ଅସୁବିଧା କଣ?

• ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଲାଗିବ ଅଧିକ ସମୟ

• ଜଗାକୁ ଅଳ୍ପ ସମୟ ଦେଖିପାରିବେ ଭକ୍ତି

• ଧାଡିରେ ଗଲେ ଶ୍ରୀଜିଉଙ୍କୁ ମାତ୍ର ୫ରୁ ୧୦ ସେକେଣ୍ଡ ଦର୍ଶନ କରିହେବ

• ଗୁରୁଡ ସ୍ତମ୍ଭ ଦର୍ଶନ ହୋଇପାରିବ ନାହିଁ

• ବାଇଶି ପାହାଚର ପାଶ୍ୱ ଦେବଦେବୀଙ୍କୁ ଦର୍ଶନ କରିହେବ ନାହିଁ

• ମହାପ୍ରସାଦ ଆଣିବା ପାଇଁ ଅଧିକ ସମୟ ଲାଗିବ

• ବାଇଶି ପାହାଚରେ ଭକ୍ତ ବସିପାରିବେ ନାହିଁ

• ପତିତପାବନ ବାନା ବାନ୍ଧିବା ବେଳେ ଭକ୍ତ ଦେଖିପାରିବେ ନାହିଁ