ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ସଜାଗ ଓଡ଼ିଶା ପୋଲିସ୍ : ସୋସିଆଲ ମିଡ଼ିଆରେ ଉତ୍ତେଜକ ପୋଷ୍ଟକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

1,641

କନକ ବ୍ୟୁରୋ : ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖିଛି ଓଡ଼ିଶାପୋଲିସ୍ । ସୋସିଆଲ ମିଡ଼ିଆରେ ଉତ୍ତେଜକ ପୋଷ୍ଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି ବିକେ ଶର୍ମା । ଏଥିପାଇଁ ସୋସିଆଲ ମିଡ଼ିଆ ଉପରେ କଡ଼ା ନଜର ରଖାଯାଇଛି । ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ଥିବା ସହ ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି ।

ସୁପ୍ରିମକୋର୍ଟର ଅଯୋଧ୍ୟାକୁ ନେଇ ରାୟ ପ୍ରକାଶ ପରେ ସଜାଗ ହୋଇଯାଇଛି ଓଡ଼ିଶା ପୁଲିସ । ଅଯୋଧ୍ୟା ରାୟକୁ ନେଇ ଡିଜିପି ବିକେ ଶର୍ମା ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଉତ୍ତେଜକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । କେହି ଫେସବୁକ ବା ଟ୍ୱିଟରରେ ଉତ୍ତେଜକ ପୋଷ୍ଟ କରନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ବିକେ ଶର୍ମା କହିଛନ୍ତି ।

ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଥିବା ସହ ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଶାନ୍ତି ବଜାୟ ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ମୋବାଇଲ ପାଟ୍ରୋଲିଙ୍ଗଙ୍କୁ କଡାକଡି କରାଯାଇଛି । ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖାଯାଇଛି, ଯେପରିକି ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ ଦ୍ୱାରା ହିଂସା ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ରଖାଯାଇଛି ।