ପାକିସ୍ତାନରେ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରିପାରେ ସେନା

19

ପାକିସ୍ତାନରେ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରିପାରେ ସେନା । ପୁଣି ଥରେ ଇତିିହାସର ପୂନରାବୃତ୍ତି କରି, ଜାରି ହୋଇପାରେ ସାମରିକ ଶାସନ । ଆତଙ୍କବାଦୀଙ୍କୁ ପାକ୍ ସେନା ସୁରକ୍ଷା ଦେଉଥିବା ନେଇ ଡନ୍ ନ୍ୟୁଜରେ ଖବର ପ୍ରକାଶ ପରେ ଏହି ଆଶଙ୍କା ଉପୁଜିଛି ।

ପାକିସ୍ତାନର ଏହି ନିର୍ଭରଯୋଗ୍ୟ ଗଣମାଧ୍ୟମରେ ଅକ୍ଟୋବର ୭ରେ ରିପୋର୍ଟ ପ୍ରକାଶ ପାଇଲା ଯେ, ଆତଙ୍କବାଦୀଙ୍କ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ନନେଲେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଏକଘରିକିଆ ହୋଇଯିବ ବୋଲି ସରିଫ ସରକାର ସେନାକୁ କହିଛନ୍ତି ।

ଏହି ଖବର ପ୍ରକାଶ ପାଇବା ପରେ ପାକିସ୍ତାନରେ ଝଡ ଉଠିଛି । ମୁହାଁମୁହିଁ ହୋଇଛନ୍ତି ଦୁଇ ସରିଫ । ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ସେନାମୁଖ୍ୟ ରାହିଲ ସରିଫ । ଜମ୍ମୁ-କାଶ୍ମୀରର ଉରି ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କୂଟନୈତିକ ଚାପ ବଢାଇବାରେ ସମର୍ଥ ହୋଇଛି ଭାରତ ।

ସାରା ବିଶ୍ୱରେ ପାକିସ୍ତାନ ଏକଘରିକିଆ ହୋଇଯାଉଥିବା ଦେଖି ଆତଙ୍କବାଦୀଙ୍କ ବିରୋଧରେ ସେନା କଡା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଚାହୁଁଛନ୍ତି ସରିଫ ସରକାର । ମାତ୍ରା ସେନା ଏଥିରେ ବାଧା ସୃଷ୍ଟି କରୁଥିବାରୁ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେହି ବୈଠକ ସଂପର୍କୀତ ତଥ୍ୟ ହିଁ ଡନ୍ ନ୍ୟୁଜରେ ପ୍ରକାଶ ପାଇଥିଲା ।

ଏହି ରିପୋର୍ଟକୁ ନେଇ ସରିଫ ସରକାରଙ୍କୁ ସନ୍ଦେହ ଘେରକୁ ଆଣିଛିି ପାକ୍ ସେନା । ଦେଶର ସୁରକ୍ଷା ସଂପର୍କୀତ ଗୁପ୍ତ ବୈଠକର ତଥ୍ୟ ଗଣମାଧ୍ୟମରେ କିପରି ପ୍ରଘଟ ହେଲା ବୋଲି ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ଡନ୍ ଖବରକାଗଜର ସ୍ତମ୍ଭକାର ସିରିଲ ଆଲମିଡାଙ୍କୁ ଦିଆଯାଇଥିବା ସେନା ସନ୍ଦେହ କରୁଛି ।

ତେଣୁ ଦୋଷୀଙ୍କୁ ଖୋଜି ବାହାର କରିବା ପାଇଁ ସରିଫ ସରକାରଙ୍କୁ ସେନା ୫ ଦିନର ମହଲତ ଦେଇଛି । ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ସେନାର ଏଭଳି କଡା ଆଭିମୁଖ୍ୟ ପରେ ପାକିସ୍ତାନରେ ପୁଣି ସାମରିକ ଶାସନ ଜାରି ହେବା ନେଇ ଆଶଙ୍କା ବଢିଯାଇଛି । କାରଣ ପାକିସ୍ତାନର ଇତିହାସ କହୁଛି ୧୯୭୭ରୁ ଏଠାରେ ବାରମ୍ବାର ନିର୍ବାଚିତ ସରକାରଙ୍କୁ ବିତାଡିତ କରି ସେନା କ୍ଷମତା ହାତେଇଛି ।