ରାସ୍ତା ମଝିରେ ଛାତ୍ରୀଙ୍କୁ ଏସିଡ୍ ମାଡ ! ଜଳିଗଲା ଛାତ୍ରୀଙ୍କ ହାତ ଓ ମୁହଁ 

37

କନକ ବ୍ୟୁରୋ : ଜଣେ କଲେଜ୍ ଛାତ୍ରୀଙ୍କୁ ବାରମ୍ବାର ଜୋର ଜବରଦସ୍ତ ପ୍ରେମ ନିବେଦନ କରି ଅରାଜି ହେବାରୁ ଏସିଡ୍ ପକାଇଦେଲା ବିଫଳ ପ୍ରେମିକ । କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ ଆସିଛି ଏଭଳି ଛାତିଥରା ଖବର । ଏସିଡ୍ ମାଡରେ ଛାତ୍ରୀଙ୍କ ମୁହଁ ଓ ହାତ ଜଳିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏସିଡ୍ ମାଡ କରି ଫେରାର ହୋଇଯାଇଥିବା ଯୁବକ, ପର୍ଶୁରାମ ମାଝିଙ୍କୁ ଖୋଜୁଛି ପୋଲିସ ।

ହସପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ଛାତ୍ରୀ ଜଣକ । ପୀଡ଼ିତା କହିଛନ୍ତି, କେମିତି ତାଙ୍କ ମୁହଁରେ ଏସିଡ୍ ପକାଇଦେଇଛି ବିଫଳ ପ୍ରେମିକ । ବାରମ୍ବାର ଜୋର ଜବରଦସ୍ତ ଏକତରଫା ପ୍ରେମ ନିବେଦନ କଲା । ଆଉ ଛାତ୍ରୀ ଅରାଜି ହେବାରୁ ମଝି ରାସ୍ତାରେ ମୁହଁରେ ଏସିଡ୍ ପକାଇଦେଇଛି ବିଫଳ ପ୍ରେମିକ । ଏସିଡ୍ ମାଡରେ ଜଳିଯାଇଛି ଛାତ୍ରୀଙ୍କ ମୁହଁ ଓ ହାତ । କଳାହାଣ୍ଡି କଲମପୁର ବ୍ଲକ ବଙ୍କାପଲାର ଏହି ଛାତ୍ରୀ ଜଣକ ସବୁଦିନ ଭଳି ବାହାରିଥିଲେ କମ୍ପ୍ୟୁଟର କ୍ଲାସକୁ । ରାସ୍ତାରେ ଅପେକ୍ଷା କରିଥିଲା ଅଭିଯୁକ୍ତ ପର୍ଶୁରାମ ମାଝି । ପୂର୍ବରୁ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଆଜି ବି ପ୍ରେମ ପ୍ରସ୍ତାବ ଦେଇଥିଲା । ହେଲେ ଛାତ୍ରୀ ମନା କରିବାରୁ ଉତକ୍ଷିପ୍ତ ପର୍ଶୁରାମ ସାଙ୍ଗରେ ଆଣିଥିବା ଏସିଡକୁ  ଛାତ୍ରୀଙ୍କ ଉପରକୁ ଫୋପାଡି ଫେରାର ହୋଇଯାଇଥିଲା । ଏସିଡ ମାଡ କରିବା ପରେ ଫେରାର ହୋଇଯାଇଛି ପର୍ଶୁରାମ । ତାକୁ ଧରିବାକୁ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।