ପାରିବାରିକା ଶତ୍ରୁତାରୁ ସାନ ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ। ମଶାରୀ ଭିତରେ ଶୋଇଥିବା ବେଳେ କାଟିନେଲା ମୁଣ୍ଡ

ପୁଲିସ ପଚାରିବାରୁ କହିଲା, ବ୍ୟାଗରେ ଅଛି କଟାମୁଣ୍ଡ

400

କନକ ବ୍ୟୁରୋ: ପାରିବାରିକ ଶତ୍ରୁତାରୁ ସାନ ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ । ମଶାରୀ ଭିତରେ ଶୋଇଥିବା ବେଳେ ସତ୍ୟନାରାୟଣ ମୁଣ୍ଡାଙ୍କ ମୁଣ୍ଡକାଟି ନେଇଥିଲା ହତ୍ୟାକାରୀ । ସଂପର୍କୀୟ ଭାଇ ଉଜ୍ୱଳା ମୁଣ୍ଡା ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କରିଛି । ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର ବାହାରେ ଶୋଇଥିବା ବେଳେ ମଶାରୀ ଭିତରୁ ତାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଥିଲା । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

ଥାନାରେ ଥୁଆ ହୋଇଛି ବ୍ୟାଗ । ଆଉ ଏହି ବ୍ୟାଗ ଭିତରେ ଅଛି ମଣିଷ ମୁଣ୍ଡ । ଥାନା ଭିତରକୁ କିଭଳି ଆସିଲା କଟାମୁଣ୍ଡ । ତା ପଛର କାହାଣୀ ଜାଣିଲେ ଆପଣ ଛାତି ଥରି ଉଠିବ । ଥାନା ଆଗରେ ଟାଙ୍ଗିଆ ଓ ବ୍ୟାଗ ଧରି ବୁଲୁଥିଲା ଅଭିଯୁକ୍ତ ଆଉ ଏହି ଅଭିଯୁକ୍ତ ଉପରେ ପଡିଥିଲା ପୁଲିସର ସନ୍ଧାନୀ ଆଖି । ବ୍ୟାଗରେ କଣ ଅଛି ବୋଲି ପୋଲିସ ପଚାରିବାରୁ ଅଭିଯୁକ୍ତ ବ୍ୟାଗଟିରେ କଟାମୁଣ୍ଡ ଥିବା କହିଥିଲା । ଅଭିଯୁକ୍ତର ଉତର ଶୁଣି ପୁଲିସ ଚକିତ ହୋଇଯାଇଥିଲା । ହେଲେ ପୂର୍ବରୁ ଅଭିଯୁକ୍ତ ଉଜ୍ଜଳ ମୁଣ୍ଡା ବାବଦରେ ସୁରାଗ୍ ପାଇ ସାରିଥିଲା ଅଇଁଠାପାଲି ପୁଲିସ । ତିଲେଇମାଲ ସତ୍ୟନାରାୟଣ ମୁଣ୍ଡାଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ଅଭିଯୁକ୍ତ ଘର ଆଗରୁ ରକ୍ତ ଛିଟା ଦେଖି ଖୋଜାଖୋଜି ଆରମ୍ଭ କରିଥିଲା ପୁଲିସ । ଏହା ଜାଣିବା ପରେ ନାଟକୀୟ ଢଙ୍ଗରେ ହାତରେ ଟାଙ୍ଗିଆ ଓ କଟା ମୁଣ୍ଡ ଭର୍ତି ବ୍ୟାଗ୍ ଧରି ଆତ୍ମସମର୍ପଣ କରିବା ପାଇଁ ଥାନା ଆଗରେ ଏପଟ ସେପଟ ହେଇଥିଲା ଅଭିଯୁକ୍ତ ଉଜ୍ଜଳ ମୁଣ୍ଡା ।

ମଶାରୀ ଭିତରେ ପଡିଛି ମୁଣ୍ଡ ବିହିନ ରକ୍ତ ଜୁଡୁବୁଡୁ ଶରୀର । ଏହାକୁ ଦେଖି ହତବାକ୍ ହୋଇଯାଇଥିଲେ ମୃତକଙ୍କ ପରିବାର । ପ୍ରବଳ ଗରମ ଯୋଗୁଁ ଘର ଅଗଣାରେ ମଶାରୀ ଟାଙ୍ଗି ଶୋଇଥିଲେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗାଁର ସତ୍ୟନାରାୟଣ ମୁଣ୍ଡା । ଆଉ ସକାଳୁ ଘର ଅଗଣା ଝାଡୁ କରିବାକୁ ଆସିବା ବେଳେ ସ୍ୱାମୀଙ୍କ ମୁଣ୍ଡ ବିହିନ ଶରୀର ଦେଖି ବିଚଳିତ ହୋଇଯାଇଥିଲେ ସତ୍ୟନାରାୟଣଙ୍କ ସ୍ତ୍ରୀ । ସଙ୍ଗେ ସଙ୍ଗେ ପରିବାର ଲୋକ ଅଇଁଠାପାଲି ଥାନାକୁ ଖବର ଦେଇଥିଲେ । ପୁଲିସ, ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ କରିଥିଲା ।

ତେବେ ଅଭିଯୁକ୍ତ ଉଜ୍ଜଳ ମୁଣ୍ଡାକୁ ଗିରଫ କରିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ପ୍ରଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏହା ପଛରେ ଜମି ବାଡି ବିବାଦ ରହିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।