ପିଏନବି ମହାଦୁର୍ନୀତି ମାମଲାରେ ନିରବ ମୋଦିଙ୍କୁ ଇଡିର ତୃତୀୟ ସମନ ! ୨୬ ସୁଦ୍ଧା ପ୍ରତ୍ୟକ୍ଷ ହାଜର ହେବାକୁ ନିର୍ଦେଶ

33

କନକ ବ୍ୟୁରୋ: ପିଏନବି ମହାଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କୁ ଇଡିର ତୃତୀୟ ସମନ । ଆଗାମୀ ୨୬ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି । ହାଜର ନହେଲେ ପ୍ରତ୍ୟର୍ପଣ ପାଇଁ ପଦକ୍ଷେପ ନେବ ପ୍ରବର୍ତନ ନିର୍ଦ୍ଦେଶାଳୟ ।

ସେପଟେ ଗୁରୁବାର ପ୍ରବର୍ତନ ନିର୍ଦ୍ଦେଶାଳୟ ନିରବ ମୋଦି ଓ ମାମୁ ମେହୁଲ ଚୋକସିଙ୍କ ପ୍ରାୟ ୧୦୦ କୋଟି ଟଙ୍କା ଫ୍ରିଜ କରିଛି । ନିରବଙ୍କ ବିଭିନ୍ନ ସେୟାର, ମ୍ୟୁଚୁଆଲ ଫଣ୍ଡ ସହ ଦାମୀ କାରକୁ ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ନିରବଙ୍କ ସମୁଦ୍ର ମହଲ ବଙ୍ଗଳାରେ ଥିବା ଅନେକ ଦାମୀ କାରକୁ ସିଲ କରିଛି ଇଡି । ଏଥିସହ ଘରେ ନୋଟିସ ମାରିଛି ଯେ, ଏଗୁଡିକୁ ବିକ୍ରି କରାଯାଇ ପାରିବନାହିଁ । ନୋଟିସର ଏକ କପି ସମୁଦ୍ର ମହଲ ବିଲିଡିଂ ସୋସାଇଟି ଓ ସେଠାରେ ମୁତୟନ ସୁରକ୍ଷା ସଂସ୍ଥାକୁ ଦିଆଯାଇଛି ।

ଇଡିର ପାର୍କିଂ ପାଇଁ ସୁବିଧା ନଥିବାରୁ ଗାଡିଗୁଡିକୁ ସେହି ସମୁଦ୍ର ମହଲ ବିଲିଡିଂରେ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ଦାମୀ କାର ତାଲିକାରେ ରହିଛି ଗୋଟିଏ ରଲ୍ସ ରୟସ୍ ଘୋଷ୍ଟ । ଏହି କାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା । ସେହିପରି ୨ଟି ମର୍ସିଡିଜ୍ ବେଂଜ ଜିଏଲ-୩୫୦ କାର ମଧ୍ୟ ଜବତ ହୋଇଛି । ପ୍ରତି କାରର ମୂଲ୍ୟ ପ୍ରାୟ ୮୫ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି ।

ଏହାସହ ଗୋଟିଏ ପର୍ସେ ପାନାମେରା କାର ମଧ୍ୟ ଇଡି ଜବତ କରିଛି । ଏହି ବିଳାସପୂର୍ଣ୍ଣ ବିଦେଶୀ କାରର ଦାମ ହେଉଛି ପ୍ରାୟ ୨ କୋଟି ଟଙ୍କା । ୩ଟି ହୋଣ୍ଡାକାର, ଗୋଟିଏ ଟୟଟା ଫର୍ଚ୍ୟୁନର ଓ ଗୋଟିଏ ଟୟଟା ଇନୋଭା ଗାଡି ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟ ଜବତ କରିଛି ।