ଶବକୁ ବି ଛାଡିଲେନି ଯୌନପିପାସୁ: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିବା ସ୍ୱୀକାର କଲା ଅଭିଯୁକ୍ତ

123

କନକ ବ୍ୟୁରୋ: ଆସାମରେ ଦୁଇଟି ଭିନ୍ନ ଭିନ୍ନ ଟ୍ରେନ୍‌ର ପାଇଖାନାରୁ ଦୁଇଜଣ ମହିଳାଙ୍କ ମୃତଦେହ ଜବତ ଘଟଣା ପରେ ଯେଉଁ ତଥ୍ୟ ପଦାକୁ ଆସିଛି ତାହା ଶୁଣିଲେ ସାଧାରଣ ଲୋକଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଦୁଇଟି ଘଟଣାରେ ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ଯେ ସେମାନେ ଏହି ଦୁଇଜଣଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। କେବଳ ସେତିକି ନୁହେଁ, ଜଣେ କାମବିକାରଗ୍ରସ୍ତ ଅଭିଯୁକ୍ତ ଟ୍ରେନ୍‌ ଛାଡ଼ି ଫେରାର ହୋଇଯିବା ପୂର୍ବରୁ ମହିଳାଙ୍କ ମୃତଦେହ( ଶବ ) ସହିତ ମଧ୍ୟ ଦୁଷ୍କର୍ମ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୦ ତାରିଖ ଦିନ ଆସାମ କୃଷିବିଜ୍ଞାନ ବିଶ୍ୱବିଦ୍ୟାଳୟର ଜଣେ ୧୯ ବର୍ଷୀୟା ଛାତ୍ରୀ ତାଙ୍କ ମାମୁଁଘରକୁ ଯାଉଥିବା ବେଳେ ଦିବ୍ରୁଗଡ଼- ରଙ୍ଗିଆ ଏକ୍ସପ୍ରେସରୁ ତାଙ୍କ ମୃତଦେହ ଜବତ କରାଯାଇଥିଲା। ମୃତଦେହଟି ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବଗିର ଶୌଚାଳୟ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକରେ ଗୋଟିଏ ଗାମୁଛା ଗୁଡ଼ାଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ସେହିପରି ଏହି ଘଟଣାର ୩୦ ଘଣ୍ଟା ନ ପୁରୁଣୁ ଜଣେ ୪୮ ବର୍ଷ ମହିଲାଙ୍କ ମୃତଦେହ ଅଭଦ-ଆସାମ ଏକ୍ସପ୍ରେସର ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ କମ୍ପାଟମେଣ୍ଟର ଶୌଚାଳୟ ଭିତରୁ ସମାନ ଅବସ୍ଥାରେ ଜବତ କରାଯାଇଥିଲା। ତାଙ୍କୁ ମଧ୍ୟ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା।

ଏହି ଘଟଣାରେ ସଂପୃକ୍ତ ବିକାଶ ଦାସ ଓ ବିପିନ୍‌ ପାଣ୍ଡେ ନାମକ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୂୁକ୍ତ ଦ୍ୱୟ ସ୍ୱୀକାର କରିଛନ୍ତି ଯେ ସେମାନେ ଦୁଷ୍କର୍ମ କରିବା ପରେ ମହିଳାଦ୍ୱୟଙ୍କୁ ହତ୍ୟା କରିଛନ୍ତି। ତେବେ ଗିରଫ ଅଭିଯୁକ୍ତ ବିପିନ ପାଣ୍ଡେ ପୁଲିସ ନିକଟରେ ସ୍ୱୀକାର କରିଛି ଯେ ସେ ଏହି ୪୮ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଦେହ ସହିତ ମଧ୍ୟ ଦୁଷ୍କର୍ମ କରିଥିଲେ।