ଓଡ଼ିଶାରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ! ୧୦ ବର୍ଷରେ ଜୀବନ ହାରିଛନ୍ତି ୪୩୩୧୨ ଲୋକ

251

କନକ ବ୍ୟୁରୋ : ଦଶବର୍ଷ ମଧ୍ୟରେ ଓଡ଼ିଶାରେ ୮୨ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯାଇଛି । ମୋଟରଯାନ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ୪୮୬ କୋଟି ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି ବର୍ଷଗୁଡ଼ିକରେ ରାଜ୍ୟରେ ଲକ୍ଷାଧିକ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୪୩ ହଜାରରୁ ଅଧିକ ଲୋକ ମରିଛନ୍ତି । ବିଧାୟକ ଦୀଲ୍ଲିିପ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୦୮ ବର୍ଷରେ ରାଜ୍ୟରେ ୮୧୮୧ଟି ସଡ଼କ ଦୁର୍ଘଟଣା ଦରଜ କରାଯାଇଥିବା ବେଳେ ଏଥିରେ ୩୦୭୯ ଲୋକ ମରିଥିଲେ । ଏହା ସହିତ ୪୩୬୩ ଜଣ ଗୁରୁତର ଭାବେ ଓ ୫୫୯୪ ଜଣ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ ।

road-accident-bike-rider-died-in-bareilly

ଏହି ସଂଖ୍ୟା ବଢ଼ି ବଢ଼ି ୨୦୧୭ ବର୍ଷରେ ୧୦୮୫୫ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ସେହି ବର୍ଷରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥିଲା ୪୭୯୦ । ଏହି ବର୍ଷ ୫୪୧୨ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୫୭୯୨ ଜଣ ସାମାନ୍ୟ ଆହତ ହୋଇଥିଲେ । ୨୦୧୮ ବର୍ଷର ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାରେ ୮୨୯୨ଟି ସଡ଼କ ଦୁର୍ଘଟଣା ଦରଜ ହୋଇଥିବା ବେଳେ ୩୮୧୭ ଜଣ ଲୋକ ମରିଥିଲେ । ଏହି ସମୟ ମଧ୍ୟରେ ୮୭୧୮ଜଣ ଆହତ ହୋଇଥିଲେ । ମୋଟାମୋଟି ଭାବେ ଓଡ଼ିଶାରେ ୨୦୦୮ରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୧,୦୪,୭୧୩ଟି ସଡ଼କ ଦୁର୍ଘଟଣାରେ ୪୩,୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ପରିବହନ ମନ୍ତ୍ରୀ ସ୍ବୀକାର କରିଛନ୍ତି ।

ପରିବହନ ମନ୍ତ୍ରୀ ପୁଣି ଦର୍ଶାଇଛନ୍ତି ଯେ ୨୦୦୯-୧୦ ବର୍ଷରେ ବିନା ଲାଇସେନ୍ସରେ ଗାଡ଼ିଚାଳନା କରୁଥିବା ବେଳେ ୮୩୪୨ ଜଣ ଧରାପଡ଼ିଥିଲେ । ସେମାନଙ୍କଠାରୁ ୪୧ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିଲା । ସେହି ବର୍ଷରେ ବେପରୁଆ ଦ୍ରୁତ ଗାଡ଼ିଚାଳନା ଅଭିଯୋଗରେ ୨୨୪୮ଜଣଙ୍କୁ ଧରାଯାଇଥିଲା ଏବଂ ସେମାନଙ୍କଠାରୁ ସାଢ଼େ ୧୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରାଯାଇଥିଲା । ଏ ନେଇ ମୋଟ୍ ୧୦୯୪ଟି ମାମଲା ରୁଜୁ ହୋଇଥିଲା ।

Image courtesy – www.williamspa.com

ତେବେ ୨୦୧୬-୧୭ ବର୍ଷରେ ପରିବହନ ବିଭାଗ କର୍ତୃପକ୍ଷଙ୍କ ଯାଞ୍ଚ ବେଳେ ୩୧,୩୨୧ଟି ବିନା ଲାଇସେନ୍ସ ଗାଡ଼ିଚାଳନା ଘଟଣା ଧରିବା ସହିତ ୧୭୨ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିଲା । ସେହିପରି ୨୩,୧୮୦ଟି ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ମାମଲା ଧରାଯିବା ସହିତ ୨୩୮ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଥିଲା । ମୋଟାମୋଟି ଭାବେ ଏହି ବର୍ଷରେ ଏ ସଂକ୍ରାନ୍ତୀୟ ୭୩୬୬ଟି ମାମଲା ରୁଜୁ ହୋଇଥିଲା । ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ଏଥିପାଇଁ ୮୨,୭୬୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଥିବା ଜଣାପଡ଼ିଛି ।