କନ୍ଧମାଳରେ ଘାଟି ଉପରୁ ଗଳିପଡ଼ିଲା ମିନି ବସ୍, ୧୦ ମୃତ ! ଦୁଇ ଦିନରେ ଗଲାଣି ୧୯ ଜୀବନ, ସେପଟେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ, ଦୁର୍ଘଟଣାରେ ଓଡ଼ିଶା ଏକ ନମ୍ବର ।

173

କନକ ବ୍ୟୁରୋ : କନ୍ଧମାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଆଜି ୧୦ ଜଣ ପ୍ରାଣ ହରାଇଛନ୍ତି । ଏବେବି ମେଡିକାଲରେ ୨୦ଜଣ ଆହତଙ୍କ ଚିକିତ୍ସା ଚାଲିଛି । ୭୦ରୁ ୮୦ ଜଣ ବସିଥିବା ମିନିଟ୍ରକଟି ଭାରସାମ୍ୟ ହରାଇ ଘାଟି ଉପରୁ ଖସିପଡିଥିବା ବେଳେ ମଦ ପିଇ ଡ୍ରାଇଭର ଗାଡି ଚଲାଉଥିବାରୁ ଏତେ ବଡ ଦୁର୍ଘଟଣା ଘଟିଛି । ସେପଟେ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ଅଂଚଳରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୧୬ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କିଛି ଦୁର୍ଘଟଣା, ଘନ କୁହୁଡି ଯୋଗୁଁ ଏବଂ ଆଉ କିଛି ଡ୍ରାଇଭରଙ୍କ ଅବେହଳା ପାଇଁ ହୋଇଛି । ଏହାରି ଭିତରେ ଆଜି ସଚିବାଳୟରେ ସଡକ ଦୁର୍ଘଟଣାକୁ ନେଇ ସମୀକ୍ଷା କରାଯାଇଛି । ଜଣାପଡିଛି, ଦୁର୍ଘଟଣାରେ ଓଡି଼ଶା ନମ୍ବର-୧ ।

ସମୟ – ସକାଳ ପ୍ରାୟ ୧୦ଟା । ସ୍ଥାନ-କନ୍ଧମାଳର ପୋଇଗୁଡା ଘାଟି । ସକାଳୁ ସକାଳୁ ଘାଟିରୁ ଓଲଟିପଡିଲା ମିନିଟ୍ରକ୍ । ପାହାଡିଆ ରାସ୍ତାରୁ ୪୦ ଫୁଟ ତଳକୁ ଖସିପଡିଥିଲା ଟ୍ରକଟି । ଗାଡି ଭିତରେ କିଛି ଯାତ୍ରୀ ରକ୍ତାକ୍ତ ହୋଇ ଚିତ୍କାର କରୁଥିିଲେ ଆଉ କିଛି ଯାତ୍ରୀ ଚାପି ହୋଇରହିଥିଲେ ମିନିଟ୍ରକ୍ ତଳେ । ଘଟଣାସ୍ଥଳରେ ହିଁ ୬ ଜଣ ଆଖି ବୁଜି ଦେଇଥିଲେ । ଆଉ ୪ ଜଣଙ୍କ ଜୀବନ ଚାଲିଯାଇଥିଲା ବ୍ରହ୍ମପୁର ମେଡିକାଲ ନେବା ରାସ୍ତାରେ ।

କନ୍ଧମାଳ ବାଲିଗୁଡାର ବ୍ରାହ୍ମଣୀ ଗାଁରେ ଫାଦର ଅଭିଷେକ ଉତ୍ସବ ଥିଲା । ଏଥିପାଇଁ ସୁଲୁମାହା ଗାଁର ଦେଢଶହ ଗ୍ରାମବାସୀ ଦୁଇଟି ମିନିଟ୍ରକରେ ବାହାରିଥିଲେ । ଗୋଟିଏ ଗାଡିରେ ୭୦ରୁ ୮୦ ଭର୍ତ୍ତି ହୋଇଥିଲେ । ଘାଟି ରାସ୍ତାରେ ମିନିଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ଚାହୁଁ ଚାହୁଁ ଚାଲିଯାଇଥିଲା ୧୦-୧୦ ଟି ଜୀବନ ।

ସେପଟେ କାଳ ହେଉଛି କୁହୁଡି । ୩ ଦିନରେ ଗଲାଣି ୧୬ ଜୀବନ । ୨୧ ଜାନୁଆରୀ ୨୦୧୯ । ଘନ କୁହୁଡି ଯୋଗୁଁ କଟକ-ଚାନ୍ଦବାଲି ରାସ୍ତାରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିଲେ । ଜଗତସିଂହପୁରରେ କୁହୁଡି ଯୋଗୁଁ ଗଛକୁ ପିଟି ହୋଇଗଲା ଗାଡି । ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ । ସେହିପରି ପାରାଦୀପରେ ଟ୍ରକକୁ ବାଇକ୍ ଧକା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାରେ ଓଡି଼ଶା ନମ୍ବର-୧ । ଏଣିକି କଡାକଡି ହେବ ଆଇନ୍ । ରାଜ୍ୟରେ ସଡ଼କ ଦୁର୍ଘଟଣା ବଢୁଥିବା ବେଳେ ସଚିବାଳୟରେ ଦୁର୍ଘଟଣା ନେଇ ସମୀକ୍ଷା ହୋଇଛି । ଜଣାପଡିଛି, ଦୁର୍ଘଟଣାରେ ଓଡି଼ଶା ନମ୍ବର-୧ । ପରିବହନ ସଚିବ କହିଛନ୍ତି, ଦୁର୍ଘଟଣା ରୋକିବାକୁ ଏଣିକି ଆଇନକୁ କଡ଼ାକଡ଼ି କରାଯିବ । ମଦୁଆ ଡ୍ରାଇଭରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଆକ୍ସିଡ଼େଂଟ ଏବଂ ବ୍ଲାକ୍ ସ୍ପଟ୍ ଜୋନ୍ ଚିହ୍ନଟ ହୋଇଛି । ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଦୀର୍ଘମିଆଦି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ । କେଉଁଠି କୁହୁଡି ତ ଆଉ କେଉଁଠି ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା ।