ରାଜ୍ୟରେ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ! ୨୦୧୭ ତୁଳନାରେ ବଢିଛି ୧୧% ସଡ଼କ ଦୁର୍ଘଟଣା ।

99

କନକ ବ୍ୟୁରୋ : ୨୦୨୦ ସୁଦ୍ଧା ସାରା ଦେଶରେ ଦୁର୍ଘଟଣା ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି କ୍ରମରେ ସୁପ୍ରିିମକୋର୍ଟଙ୍କ ଦ୍ୱାରା ଗଠିତ ଜଷ୍ଟିସ୍ ରାଧାକ୍ରିଷ୍ଣନ୍ କମିଟି ଗତ ବର୍ଷ ଓଡ଼ିଶାକୁ ୧୦ ପ୍ରତିଶତ ଦୁର୍ଘଟଣା କମାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ୨୦୧୭ ତୁଳନାରେ ୨୦୧୮ ମସିହାରେ ରାଜ୍ୟରେ ଦୁର୍ଘଟଣା ୧୧ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି ।

ଏଭଳି ତଥ୍ୟ ନେଇ ଆଜି ସଡ଼କ ସୁରକ୍ଷା ସପ୍ତାହରେ ଉଦବେଗ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ । କେଉଁଠି ଗାଡ଼ିର ଫିଟନେସ୍ ଠିକ୍ ନାହିଁ ତ କେଉଁଠି ବେପରୁଆ ଗାଡ଼ି ଚାଳନା । କିଏ ମୋବାଇଲ୍ ଧରି ଗାଡ଼ି ଚଲାଇଲାଣି ତ କିଏ ଓଭରଲୋଡ୍ କଲାଣି । ୨୦୧୭ରେ ଦୁର୍ଘଟଣାରେ ଓଡ଼ିଶାରେ ୪,୭୯୦ଜଣ ପ୍ରାଣ ହରାଇଥିବା ବେଳେ ୨୦୧୮ରେ ୫,୩୧୫ଜଣ ପ୍ରାଣ ହରାଇଛନ୍ତି । ମନ୍ତ୍ରୀଙ୍କ ଭାଷାରେ ଭୁବନେଶ୍ୱରରେ ପ୍ରାୟ ସମସ୍ତେ ହେଲମେଟ୍ ଲଗାଉଥିବା ବେଳେ କଟକରେ ପ୍ରାୟ କେହି ହେଲମେଟ୍ ଲଗାଉନାହାନ୍ତି ।

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ଏବେ ଗୁଡ୍ ସାମାରିଟାନ୍ ପଲିସିରେ ରାଜ୍ୟ ସରକାର ୨ ହଜାର ଟଙ୍କା ପୁରସ୍କାର ଦେଉଛନ୍ତି । ଆହତଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସାକ୍ଷ୍ୟ ପ୍ରମାଣ ଦେବାକୁ ବାଧ୍ୟ କରାଯିବ ନାହିଁ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି ।