ରାଜ୍ୟରେ ବଢ଼ୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ! ପ୍ରତିଦିନ ଯାଉଛି ୧୨ ଜୀବନ, ରାଜଧାନୀ ସବୁଠୁ ଅଧିକ

54

କନକ ବ୍ୟୁରୋ : ରାଜ୍ୟରେ ପ୍ରତ୍ୟେକ ଦିନ ହାରାହାରି ଭାବେ ବିଭିନ୍ନ ସ୍ଥାନରେ ୨୮ଟି ସଡ଼କ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ପ୍ରତ୍ୟେକ ଦିନ ହାରାହାରି ଭାବେ ୧୨ ଜଣ ବ୍ୟକ୍ତିଙ୍କର ପ୍ରାଣ ଯାଉଥିବା ବେଳେ ୩୧ ଜଣ ଲୋକ ଗୁରୁତର ଆହତ ହେଉଛନ୍ତି । ବର୍ଷକୁ ବର୍ଷ ଏହି ସଂଖ୍ୟା ବଢି ଚାଲିଛି । ବିଭିନ୍ନ ଥାନାରେ ରୁଜୁ ହେଉଥିବା ମାମଲା ଆଧାରରେ ରାଜ୍ୟ ପୁଲିସ୍‌ ବିଭାଗ ରେକର୍ଡରୁ ଏବେ ଏଭଳି ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସୁଛି ।

ତଥ୍ୟ ଅନୁଯାୟୀ ୨୦୧୨ରୁ ୨୦୧୭ ମଧ୍ୟରେ ମୋଟ ୬୦ ହଜାର ୫୪୨ଟି ସଡ଼କ ଦୁର୍ଘଟଣା ମାମଲା ପଂଜୀକୃତ ହୋଇଥିବା ବେଳେ ସେହି ଘଟଣାରେ ୨୫ ହଜାର ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୭ ହଜାର ୩୯୭ ଜଣ ଆହତ ହୋଇଛନ୍ତି । ରେକର୍ଡ ଅନୁଯାୟୀ ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଅଞ୍ଚଳକୁ ରାଜ୍ୟର ସବୁଠୁ ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ କରାଯାଉଛି । ଭୁବନେଶ୍ୱରରେ ବର୍ଷକୁ ପାଖାପାଖିି ୬ଶହ ଦୁର୍ଘଟଣା ରେକର୍ଡ ହେଉଛି । ସେହିଭଳି ବର୍ଷକୁ ହାରାହାରି ଭାବେ ୫ଶହରୁ ଅଧିକ ଦୁର୍ଘଟଣା ହେଉଥିବା ଜିଲ୍ଲା ମଧ୍ୟରେ ଭୁବନେଶ୍ୱର ପରକୁ ପର ରହିଛନ୍ତି କେନ୍ଦୁଝର, ସମ୍ବଲପୁର, ଗଂଜାମ, ବାଲେଶ୍ୱର ଓ ଯାଜପୁର ଭଳି ଜିଲ୍ଲା । ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ କ୍ରମାଗତ ଭାବେ ଏହି ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି । ବର୍ଷକୁ ହାରାହାରି ଭାବେ ୪ଶହରୁ ୫ଶହ ମଧ୍ୟରେ ଦୁର୍ଘଟଣା ଘଟୁଥିବା ଜିଲ୍ଲା ମଧ୍ୟରେ ଅଛନ୍ତି ରାଉରକେଲା, ଅନୁଗୁଳ, ମୟୂରଭଞ୍ଜ ଓ ପୁରୀ ।

accident

 

ଅନ୍ୟପଟେ କମ୍‌ ଦୁର୍ଘଟଣା ପ୍ରବଣ ଜିଲ୍ଲା ଭିତରେ ପରିଗଣିତ ହେଉଛନ୍ତି ଗଜପତି, ଦେଓଗଡ଼, ମାଲକାନାଗିରି ଭଳି ଜିଲ୍ଲା । ଗଜପତିରେ ବର୍ଷକୁ ହାରାହାରି ଭାବେ ଶହେରୁ କମ୍‌ ସଂଖ୍ୟାରେ ଦୁର୍ଘଟଣା ରେକର୍ଡ କରାଯାଉଛି । ଦେଓଗଡ଼ ଓ ମାଲାକାନାଗିରିରେ ଶହେରୁ କିଛି ଅଧିକ ସଂଖ୍ୟକ ଦୁର୍ଘଟଣା ବର୍ଷକୁ ରେକର୍ଡ କରାଯାଉଛି । ରେକର୍ଡ ଅନୁଯାୟୀ କଟକ ଓ ଜଗତସିଂହପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ସଂଖ୍ୟା ୨୦୧୨ରୁ ୨୦୧୭ ମଧ୍ୟରେ କିଛି ପରିମାଣରେ ହ୍ରାସ ପାଇ ଚାଲିଛି । ସୂଚନା ଅନୁଯାୟୀ ନିଶାସକ୍ତ ଅବସ୍ଥାରେ ଏବଂ ଦ୍ରୁତ ଗତିରେ ଗାଡ଼ି ଚାଳନା, ଓଭରଲୋଡିଂ ଓ ରାସ୍ତାରେ ରହିଥିବା ତ୍ରୁଟି ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି ।