ବଂଚେଇ ପାରିଲାନି ଦାମୀ କାର୍ ! ଦୁର୍ଘଟଣାରେ ଚୁରମାର୍ ହୋଇଗଲା ବିଏମଡବ୍ଲ୍ୟୁ

83

କନକ ବ୍ୟୁରୋ: ବଂଚେଇ ପାରିଲାନି ଦାମି କାର । ଦୁର୍ଘଟଣାଗ୍ରସ୍ତ ହୋଇଛି ପୁରୀରୁ କୋଣାର୍କ ଯାଉଥିବା ବିଏମଡବ୍ଲ୍ୟୁ କାର । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭୁବନେଶ୍ୱର ଅଶୋକନଗରର ନନ୍ଦ କିଶୋର ପାତ୍ର । ଗତ ରାତିରେ ପୁରୀ କୋଣାର୍କ ରୋଡରେ ବିଏମଡବ୍ଲ୍ୟୁ ଗାଡିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗାଡି ଦୁର୍ଘଟଣା ଗସ୍ତ ହୋଇଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ଅଗ୍ନିଶମ ବିଭାଗର କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତି କରିଥିଲେ । ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିଏମଡବ୍ଲ୍ୟୁ ଭଳି ଦାମୀ କାରରେ ଅନେକ ସେଫଟି ମେଜରସ ଥିବା ବେଳେ କାରଟି କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ଗାଡିଟି ଭୁବନେଶ୍ୱରର ୨୪ ବର୍ଷୀୟ କଳିଙ୍ଗ କେଶରୀ ସାମନ୍ତରାୟଙ୍କ ନାଁରେ ରହିଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡିଏଲ୯ସି କ୍ୟୁ ୫୮୭୮ ନମ୍ବର ବିଶିଷ୍ଟ ବିଏମଡବ୍ଲ୍ୟୁ କାରରେ ଭୁବନେଶ୍ୱର ଅଞ୍ଚଳର ନନ୍ଦକିଶୋର ମହାପାତ୍ର, କଲ୍ୟାଣ କେଶରୀ ସାମନ୍ତରାୟ, ସୁମନ ପାତ୍ର ଓ ସୋନାଲି ବେହେରା ଓରଫ ସିପ୍ରା ନାମକ ୫ ଜଣ କୋଣାର୍କ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟା ବେଳେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ନନ୍ଦକିଶୋର ମହାପାତ୍ରଙ୍କ ମତ୍ୟୁ ଘଟିଥିବା ବେଳେ ସୋନାଲି, କ୍ୟାଣକେଶରୀ ଓ ସୁମନ ଗୁରୁତର ଅବସ୍ଥାରେ କାର ଭିତରେ ଚାପି ହୋଇ ରହି ଯାଇଥିଲେ।

ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ସେଫ୍ଟି ବେଲୁନ୍ ଫାଟି ଯାଇଥିଲା ଓ ଗାଡ଼ିର ଆଗ ଚକ ଯାଇ ପଛ ଚକରେ ଲାଗି ଯାଇଥିଲା। ଖବରପାଇ କୋଣାର୍କ ଓ ପୁରୀରୁ ଦମକଳ ବାହିନୀ ପହଞ୍ଚି ଗ୍ୟାସ କଟର ଯୋଗେ ଗାଡ଼ିକୁ କାଟି ମୃତାହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।