ରାସ୍ତା ଉପରେ ହୁତୁ ହୂୁତୁ ହୋଇ ଜଳୁଥିଲା ବସ୍ ! ମିନେରାଲ ୱାଟରରେ ନିଆଁ ଲିଭାଉଥିଲେ ଡ୍ରାଇଭର

25

ରାସ୍ତା ଉପରେ ହୁ ହୁ ହୋଇ ଜଳୁଥିଲା ଏସି ବସ୍ । ଆଉ ଡ୍ରାଇଭର ମିନେରାଲ ୱାଟରରେ ନିଆଁ ଲିଭାଇବାକୁ ପ୍ରୟାସ କରୁଥିଲେ । ଏଭଳି ଘଟଣା ଝାଡଖଣ୍ଡର ରାମଗଡ ଜିଲ୍ଳାରେ ଦେଖିବାକୁ ମିଳିଛି ।ଝାଡଖଣ୍ଡ ରାମଗଡ ଜିଲ୍ଲାର ଜାତୀୟ ରାଜପଥରେ ରାଞ୍ଚିରୁ ପାଟନାକୁ ଆସୁଥିବା ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଜାଣିବା ପୂର୍ବରୁ ବସଟି ହୁତ ହୁତ ହୋଇ ଜଳିଯାଇଥିଲା । ଚାହୁଁ ଚାହୁଁ ବସଟି କିଛି ସମୟ ମଧ୍ୟରେ ସ୍ୱାହା ହୋଇଯାଇଥିଲା ।

ବସଟି ପୂରା ଜଳିବା ପୂର୍ବରୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଯାତ୍ରୀଙ୍କର କୌଣସି ପ୍ରକାର କ୍ଷତି ହୋଇନଥିଲା । ଜାତୀୟ ରାଜପଥରେ ବସଟି ଚାଲୁଥିବା ବେଳେ ହଠାତ୍ ଏହାର ଟାୟାର ଫାଟି ଯାଇଥିଲା ।  ଯେଉଁ କାରଣରୁ ଟାୟରରେ ପ୍ରଥମେ ନିଆଁ ଲାଗିଥିଲା । ଧୀରେ ଧୀରେ  ଏହି ନିଆଁ ପୂରା ବସକୁ ପରିବ୍ୟାପ୍ତ ହୋଇଥିଲା । ତେବେ ଟାୟାରରେ ନିଆଁ ଲାଗିବା ପରେ ଡ୍ରାଇଭର ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ତାହା ବି ମିନେରାଲ ୱାଟରରେ । ଗାଡିରେ ଥିବା ମିନେରାଲ ୱାଟରରେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ ଡ୍ରାଇଭର ।  ବସଟି ଜଳୁଥିବା ଦେଖି ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ଫୋନ କରିଥିଲେ ମଧ୍ୟ ପ୍ରାୟ ଦେଢ ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚଥିଲା  । ସେତେବେଳକୁ ବସଟି ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ସାରିଥିଲା ।