କାହିଁକି ବନ୍ଦ ହେବ କଲେଜ ନିର୍ବାଚନ ? ସରକାର ନିଷ୍ପତ୍ତି ପରେ ଉଠିଲା ପ୍ରତିବାଦର ସ୍ୱର, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି

463

କନକ ବ୍ୟୁରୋ : କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ? ସରକାରଙ୍କ ନିଷ୍ପତି ବିରୋଧରେ ଆଜି ପ୍ରତିବାଦର ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତି ପ୍ରତିବାଦରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନକୁ ଘେରିଛି ଏବିଭିପି । ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଥିବା ବେଳେ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା କମିସନରେଟ୍ ପୋଲିସ ।

ବିଜେପି ଯୁବମୋର୍ଚ୍ଚା ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛି । ଗଣତନ୍ତ୍ରର ପ୍ରୟୋଗଶାଳାରେ ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛି । ଯୁବ ନେତୃତ୍ୱକୁ ରୋକିବାକୁ ପ୍ରୟାସ କରାଯାଉଥିବା ବେଳେ ରାଜ୍ୟସରକାରଙ୍କ ଏକଛାତ୍ରବାଦ ନିଷ୍ପତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଚଳିତ ବର୍ଷ ଇଲେକ୍ସନ୍ ନୁହେଁ, ସିଲେକ୍ସନ୍ ଜରିଆରେ ଛାତ୍ର ନେତା ଚୟନ କରାଯିବ । ବିଭିନ୍ନ କଲେଜ୍ର ଅଧ୍ୟକ୍ଷଙ୍କ ମତାମତକୁ ଆଧାର କରି ଶିକ୍ଷା ବିଭାଗ ଏପରି ନିଷ୍ପତି ନେଇଥିବା କହୁଛି । ନିର୍ବାଚନ ଯୋଗୁଁ କଲେଜର ଶିକ୍ଷାର ବାତାବରଣ ନଷ୍ଟ ହେଉଛି ବୋଲି ଯୁକ୍ତି ଦର୍ଶାଇଛି ଉଚ୍ଚଶିକ୍ଷା ବିଭାଗ । ଏବେ ପ୍ରଶ୍ନ ଉଠୁଛି, କଲେଜ୍ ନିର୍ବାଚନରେ ହିଂସାକାଣ୍ଡ ଘଟୁଥିବା ଅଭିଯୋଗ କରି ନିର୍ବାଚନ ବନ୍ଦ କରିବା କେତେ ଯୁକ୍ତିଯୁକ୍ତ ? ନା’ ନିର୍ବାଚନ କିପରି ହିଂସା ମୁକ୍ତ ହେବ, ସେଥିପାଇଁ ପ୍ରୟାସ କରିବା ଜରୁରୀ ?