ରାଜଧାନୀ କଲେଜରେ ଏବିଭିପି ଘୋଷଣା କଲା ପ୍ରାର୍ଥୀ ତାଲିକା ! ନୂଆଖାଈ, ଗଣେଷପୂଜା ଶୁଭେଚ୍ଛାରେ ଜମିଲା ପ୍ରଚାର

139

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ସେତିକି ଆଗଉଛି । ଆଜି ରାଜଧାନୀ କଲେଜରେ ଏବିଭିପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାସହ ନୂଆଖାଈ ଓ ଗଣେଷ ପୂଜା ଶୁଭେଚ୍ଛାରେ ଜମିଛି ପ୍ରଚାର ।

ରାଜଧାନୀ କଲେଜରେ ପ୍ରାର୍ଥୀ  ତାଲିକା ଘୋଷଣା କରିଛି ଏବିଭିପି । +୩ ଶେଷ ବର୍ଷ ଛାତ୍ର ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସଭାପତି ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଛି ଏବିଭିପି । ସେହିପରି ଇନ୍ଦ୍ରଭୂଷଣ ମହାପାତ୍ରଙ୍କୁ ସାଧାରଣ ସଂପାଦକ ଓ ପ୍ରୀତମ ପଣ୍ଡାଙ୍କୁ ସଂଗଠନ ପକ୍ଷରୁ ଉପ-ସଭାପତି ଭାବେ ପ୍ରାର୍ଥୀ ଘୋଷଣା କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନାଁ ଘୋଷଣା କରିଛି ଏବିଭିପି ।

ରାଜଧାନୀ କଲେଜ ରାଜନୀତି ଏଥର ବି ସରଗରମ ରହିଛି। ଗତଥର ପରି ଏଥର ମଧ୍ୟ ୪ଟି ସଙ୍ଗଠନ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଛାତ୍ର ବିଜେଡି ଏଠାରେ ଦୁଇ ଭାଗ ହୋଇଯାଇଥିବା ବେଳେ ଛାତ୍ର କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି। ଛାତ୍ର ବିଜେଡିର ପ୍ରାର୍ଥୀ ଗତଥର ବହୁ ଭୋଟରେ ଜିତିଥିବାରୁ ଏଥର ମଧ୍ୟ ସଙ୍ଗଠନ କ୍ୟାମ୍ପସ କବ୍ଜା କରିବା ଚକ୍କରରେ ରହିଛି। ହେଲେ ସଙ୍ଗଠନର ଅସନ୍ତୁଷ୍ଟ ଗୋଷ୍ଠୀ ବି ଭୋଟ ଭାଗ କରିବା ଲକ୍ଷ୍ୟରେ ରହିଛି। ଛାତ୍ର ବିଜେଡି ବିବାଦ ମଧ୍ୟରେ ଛାତ୍ର କଂଗ୍ରେସ ଏବଂ ଏବିଭିପି ମଧ୍ୟ ଫାଇଦା ଉଠାଇବାକୁ ଲାଗିପଡ଼ିଛନ୍ତି। ଛାତ୍ର ବିଜେଡି ପକ୍ଷରୁ ରଜତ ପରିଡ଼ା ସଭାପତି ଏବଂ ରୂପାଲି ସାଧାରଣ ସମ୍ପାଦକ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଛି। ଦିଲ୍ଲୀପ ନାୟକ ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ହେଉଥିବା ବେଳେ ଅସନ୍ତୁଷ୍ଟ ଛାତ୍ର ବିଜେଡିରୁ ସୁଜିତ୍ ଦଳାଇ ସଭାପତି ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ହୋଇଛି।

କମଳା ନେହରୁ ମହିଳା ମହାବିଦ୍ୟାଳୟ ଲାଗି ପ୍ରାର୍ଥୀ ଘୋଷଣା କରିଛି ଛାତ୍ର ବିଜେଡି। ବିରୋଧୀଙ୍କ ତୁଳନାରେ ଏଥର ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ସଙ୍ଗଠନ। ବହୁ ଆଲୋଚନା ପର୍ୟ୍ୟାଲୋଚନା ପରେ ସଙ୍ଗଠନ ପକ୍ଷରୁ ଛାତ୍ରୀ ତୁଳସୀ ଜାନୀଙ୍କୁ ସଭାପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ରଶ୍ମିପ୍ରଭା ସହୁ ସାଧାରଣ ସମ୍ପାଦକ ପ୍ରାର୍ଥୀ ଭାବେ ମଇଦାନକୁୁ ଓହ୍ଲାଇବେ। ଅନ୍ୟ ପଦବିଗୁଡ଼ିକ ଲାଗି ପ୍ରାର୍ଥୀ ଚୟନ ଖୁବଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି।

ସେପଟେ ନୂଆଖାଈ ଓ ଗଣେଷ ପୂଜା ଶୁଭେଚ୍ଛାରେ ଆଜି ପ୍ରଚାର ଜୋରଦାର ହୋଇଛି । ରାଜଧାନୀର ପ୍ରମୁଖ କଲେଜ ଗୁଡିକରେ ଆଶାୟୀ ପ୍ରାର୍ଥୀମାନେ ସମସ୍ତଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା । କଲେଜ କ୍ୟାମ୍ପସରେ ମିଠା ଓ ଫାଷ୍ଟଫୁଡ ଦେଇ ପ୍ରାର୍ଥୀ ଶୁଭେଚ୍ଛା ଜଣାଇଛନ୍ତି ।

ଛାତ୍ରଛାତ୍ରୀଙ୍କ ଭୋଟ ହାତେଇବା ଲାଗି ବିଜେବି କଲେଜରେ ଏବେଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ପିଲାଙ୍କ କ୍ଲାସ୍କୁ ଯାଇ ଆଶାୟୀ ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି। ଏ କ୍ଷେତ୍ରରେ ବିଜେପି ଯୁବମୋର୍ଚା ସମର୍ଥିତ ପ୍ରାର୍ଥୀ ଆଗୁଆ ରହିଛନ୍ତି। କିଛି ପ୍ରାର୍ଥୀ କ୍ୟାମ୍ପସ ବାହାରେ ବ୍ୟାନର ମାରି ପ୍ରଚାର କରୁଥିବାବେଳେ ଆଉ କେତେକ କ୍ଲାସ କ୍ୟାମ୍ପନିଂ କରୁଛନ୍ତି। ସଭାପତି ପ୍ରାର୍ଥୀ ଅଶୋକ ମଲ୍ଲିକ, ସାଧାରଣ ସମ୍ପାଦକ ପ୍ରାର୍ଥୀ ଆଶିଷ ମହାପାତ୍ର ପିଲାଙ୍କ ନିକଟକୁ ଯାଇ ଭେଟୁଛନ୍ତି। କଲେଜରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ସହ ଭୋଟ ହାତେଇବାକୁ ଲାଗିପଡ଼ିଛନ୍ତି। ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି।