ସୁନ୍ଦରଗଡ କୋର୍ଟ ସମ୍ମୁଖରୁ ଚମ୍ପଟ ମାରିଲେ ଦୁଇ କଏଦୀ ! ଗୋଡାଇ ଗୋଡାଇ ଧରିଲା ପୋଲିସ

39

କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିବା ପରେ ଗୋଡାଇ ଗୋଡାଇ କଏଦୀଙ୍କୁ କାବୁ କରିଛି ପୋଲିସ । ଏଭଳି ଘଟଣା ଘଟିଛି ସୁନ୍ଦରଗଡରେ । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଆଜି ୨ ଜଣ କଏଦୀ ଚମ୍ପଟ ମାରିଥିଲେ । ବିଭିନ୍ନ ମାମଲାର ଶୁଣାଣି ପାଇଁ ସୁନ୍ଦରଗଡ ଜେଲରୁ ପାଖାପାଖି ୨୦ ଜଣ କଏଦୀକୁ ନେଇ ପୋଲିସ କୋର୍ଟକୁ ନେଇଥିଲା । ଆଉ ଶୁଣାଣି ସରିବା ପରେ କୋର୍ଟ ସମ୍ମୁଖରୁ ୨ ଜଣ କଏଦୀ ହଠାତ ଚମ୍ପଟ ମାରିଥିଲେ । ପରେ ପୋଲିସ ସେମାନଙ୍କୁ ପିଚ୍ଛା କରି ପ୍ରାୟ ଦେଢ କିଲୋମିଟର ଦୌଡି କଏଦୀଙ୍କୁ କାବୁ କରିଥିଲା । ତେବେ ଏହି ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା ।

ସେପଟେ ଭୁବନେଶ୍ୱରରେ ପୁଣି ବଢୁଛି ସ୍ନାଚିଂ କ୍ରାଇମ୍ । ଶିରିପୁରରେ ଆଜି ଜଣେ ମହିଳାଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଇଛନ୍ତି । ଶିକ୍ଷୟିତ୍ରୀ ଇନ୍ଦିରା ପ୍ରିିୟଦର୍ଶିନୀ ବରମୁଣ୍ଡାରୁ ନିଜ ଘର ସୂର୍ଯ୍ୟନଗର ଫେରୁଥିବା ବେଳେ ଶିରିପୁର ନିକଟରେ ଦୁଇ ଯୁବକ ଲାଲ୍ ପଲସରରେ ଆସି ତାଙ୍କ ମୁଣ୍ଡରେ ବ୍ଲେଡ୍ ମାରି ରକ୍ତାକ୍ତ କରିଦେବା ସହ ସେ ପିନ୍ଧିଥିବା ସୁନା ହାର ଲୁଟି ନେଇଥିଲେ । ଆହତ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।