ନବୀନଙ୍କ କାଳ, ନେତାଙ୍କ ମେଳ ! ବିଜେଡି କଣ ବିଦ୍ରୋହୀ ଜନତା ଦଳ?

40

ମନ୍ତ୍ରିମଣ୍ଡଳ ଅଦଳବଦଳ କରିଦେଇ ନେତା ଦିଲ୍ଲୀ ପଳାଇଲେ । ହେଲେ ଏପଟେ ସ୍ୱର୍ଣ୍ଣିମ ସାମ୍ରାଜ୍ୟରେ ଅସନ୍ତୋଷର ନିଆଁ ଲାଗିଲାଣି । ପ୍ରଶମିତ କରିବାକୁ ଚେଷ୍ଟା ବିଫଳ ହେଉଛି, ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନିଆଁ ବ୍ୟାପିବାରେ ଲାଗିଛି । ପ୍ରଛଦପଟରେ ନେତା ଆଉ ସାମ୍ନାରେ କର୍ମୀ । ହାତରେ ପ୍ଲାକାର୍ଡ ପୋଷ୍ଟର ଧରି ପ୍ରତିବାଦ, କାହିଁକି ଆମ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲାନି? ୧୭ ବର୍ଷର ଶାସନରେ ବୋଧହୁଏ ଏଭଳି ସମସ୍ୟା ସାମ୍ନା କରିନଥିବା ନବୀନ ଏବେ ଅକଳରେ । ଭାବିଥିଲେ ମନ୍ତ୍ରୀମଣ୍ଡଳ ଅଦଳବଦଳ କରି ୨୦୧୯ ପାଇଁ ଗୋଟିଏ ମାଷ୍ଟରଷ୍ଟ୍ରୋକ ମାରିବେ, ହେଲେ ଏହା ଏବେ ତାଙ୍କ ପାଇଁ ବୁମେରାଂ ହେଲାଣି ।

ସୁନ୍ଦରଗଡରେ ମଙ୍ଗଳା କିଷାନ, ସମ୍ବଲପୁରରେ ରାସେଶ୍ୱରୀ ପାଣିଗ୍ରାହୀ, କଳାହାଣ୍ଡିରେ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ଦେବାଶିଷ ନାୟକ ଓ ଅମର ଶତପଥୀ, ସୋନପୁରରେ ପଦ୍ମନାଭ ବେହେରା । ପଶ୍ଚିମରୁ ଆରମ୍ଭ କରି ଉପକୂଳ ସବୁଠି ବିଦ୍ରୋହ ମୁଣ୍ଡ ଟେକୁଛି । ଜିଲ୍ଲାରୁ କେହି ମନ୍ତ୍ରୀମଣ୍ଡଳରେ ସାମିଲ ନ’ହେବା ପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିବାରେ ନେତା ବ୍ୟସ୍ତ । ଯଦିଓ ଖୋଲାଖୋଲି କହିପାରୁନାହାନ୍ତି, କିନ୍ତୁ ପରୋକ୍ଷରେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସେମାନଙ୍କର ଇଛା ଥିଲା ନବୀନଙ୍କ କ୍ୟାବିନେଟରେ ସାମିଲ ହେବାକୁ । କିନ୍ତୁ ଏହାର ଆଉ ଏକ ବ୍ୟାପକ ସଂକେତ ହେଉଛି, ବିଜେଡିର ମୂଳ ଦୋହଲିବା ଆରମ୍ଭ ହେଲାଣି ।

ଗତ ୧୭ ବର୍ଷ ଭିତରେ ଅନେକ ବାର ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି । ନେତା ଆସିଛନ୍ତି ବାଦ ପଡିଛନ୍ତି । ହେଲେ କେବେବି କେହି ନିଷ୍ପତି ବିରୋଧର ସ୍ୱର ଉତ୍ତୋଳନ କରିବାକୁ ସତସାହାସ ଜୁଟାଇ ପାରିନଥିଲେ । ହେଲେ ଆଜି କିନ୍ତୁ ସାମ୍ନାକୁ ଆସି ମତ ରଖି ସୁପ୍ରିମୋଙ୍କ ନିଷ୍ପତିକୁ ଚାଲେଂଜ କରୁଛନ୍ତି । ଏହା ହେଉଛି ରାଜନୀତିରେ ବିଡମ୍ବନା, ଯେତେବେଳେ ସୁପ୍ରିମୋ ସର୍ବ ଶକ୍ତିମାନ ସେତେବେଳେ ନେତା ସବୁ କଥାକୁ ମୁଣ୍ଡ ପାତି ସହନ୍ତି, ଆଉ ଶାସନ ଟିକିଏ ହୁଗୁଳା ହୋଇଗଲେ ଚାରିଆଡୁ ମାଡିବସନ୍ତି ।

ଏସବୁ ନେତାଙ୍କର ଆଜି ଏ ସତସାହାସ କୁଆଡୁ ଆସିଲା? ୨୦୧୪ରେ ଯେତେବେଳେ ଯୁବ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସବୁ ଟେକିଦିଆଗଲା, ସେତେବେଳେ ମୁହଁ କାହିଁ ଖୋଲିନଥିଲେ? କାରଣ ସେତେବେଳେ ରାଜ୍ୟରେ ବିଜେପି ମୁଣ୍ଡ ଟେକିନଥିଲା । ନବୀନଙ୍କ ନାଁରେ ଭୋଟ ମିଳୁଥିଲା, ବିଜେଡିକୁ ଛାଡି ଆଉ କିଛି ବିକଳ୍ପ ନଥିଲା । ସୁବିଧାବାଦ ରାଜନୀତିର ଏହି ଦିଗକୁ ମଧ୍ୟ ଭୁଲିବା ଅନୁଚିତ, କାରଣ ନେତା ସେତେବେଳେ ବିଦ୍ରୋହ କରନ୍ତି, ଯେତେବେଳେ ବିପକ୍ଷ ଶକ୍ତି ମୁଣ୍ଡ ଟେକନ୍ତି । ନିଷ୍ପତିକୁ ଚାଲେଂଜ କରୁଥିବା ଏହି ନେତା ମାନେ ଏହି ଉକ୍ତିର ଗୋଟି ଗୋଟିଏ ଉଦାହରଣ ଭାବେ ଧରାଯାଇପାରେ ।

ବଡ କଥା ହେଉଛି, ଯଦି ଏହି ନେତାଙ୍କର ସତସାହାସ ଅଛି ଆଉ କ୍ଷମତାରେ ରହିବାକୁ ଲୋଭ ନାହିଁ, ତାହେଲେ ଲୁଚିଛପି ପରୋକ୍ଷରେ ନିଜ ମନ କଥା କହିବା ବଦଳରେ ସାମ୍ନାକୁ ଆସି ପ୍ରକୃତ କଥା କୁହନ୍ତୁ । କାହା ବାସଭବନରେ କିଛି ସମୟ ଏକାଠି ହୋଇ ଗଣମାଧ୍ୟମକୁ ଡକାଇ ମତ ଦେବା ବଦଳରେ ଖୋଲାଖୋଲି ନବୀନଙ୍କୁ ଚାଲେଂଜ କରନ୍ତୁ । ତାହେଲେ ଜଣାପଡିବ, ଆପଣ ନିଜ ଜିଲ୍ଲାର ମାନସମ୍ମାନକୁ ନେଇ ଚିନ୍ତିତ । ନହେଲେ, ଇତିହାସରେ ଆପଣଙ୍କୁ କେବଳ କ୍ଷମତାଲୋଭୀ ଭାବେ ପରବର୍ତ୍ତୀ ପିଢୀ ଅବତାରଣା କରିବ ।

ଯେଉଁ ନେତାମାନେ ଏଭଳି ମତପୋଷଣ କରୁଛନ୍ତି, ସେମାନେ ଠିକ ଜାଣିଛନ୍ତି ରାଜ୍ୟରେ ଶଙ୍ଖ ଚିହ୍ନ ଆଉ ନବୀନଙ୍କ ନାଁରେ ଭୋଟ୍ ଅଛି । ଦଳୀୟ ଟିକେଟ ପାଇଲେ ସେମାନଙ୍କ ଜିତିବା ସମ୍ଭାବନା ଅଧିକ । ତେଣୁ ସାମ୍ନାକୁ ନ’ଆସି ନିଜ କର୍ମୀଙ୍କୁ ଲଗାଇ ସୁପ୍ରିମୋଙ୍କୁ ଚାପଗ୍ରସ୍ତ କରିବାକୁ ରଣନୀତି କରିଛନ୍ତି । ଏମାନେ ହେଉଛନ୍ତି ଭୀରୁ ରାଜନେତା । ଗତ ୧୭ ବର୍ଷ ଭିତରେ ରାଜ୍ୟରେ କେବଳ ଗୋଟିଏ ବ୍ରାଣ୍ଡ କାମ କରିଛି ନବୀନ ବ୍ରାଣ୍ଡ । ତେଣୁ ଦଳର ବରିଷ୍ଠ ନେତାଙ୍କ କହିବା କଥା, ଯଦି ନବୀନଙ୍କ ନାଁ ଆଉ ଶଙ୍ଖ ଚିହ୍ନରେ ଭୋଟ ପାଉଛ, ତେବେ ସେ ଯାହା କରୁଛନ୍ତି ଆଉ କହୁଛନ୍ତି ମାନିବାକୁ ବାଧ୍ୟ । ପ୍ରକୃତରେ ଏହି ଉକ୍ତିର ଯଥାର୍ଥତତା ରହିଛି ।

ଏହାରି ଭିତରେ ଗୋଟିଏ କଥା କିନ୍ତୁ ସ୍ପଷ୍ଟ, ନବୀନ ଦଳ ଭିତରେ ଆହ୍ୱାନର ସମ୍ମୁଖୀନହେଲେଣି । ନେତା ଯେତେ ମନାକଲେବି ଗଡ ଦୁର୍ବଳ ହେଲାଣି, ଏଥିରେ କିଛି ସନ୍ଦେହ ନାହିଁ । ହେଲେ ଏହାକୁ ପ୍ରଶମିତ କରିବାକୁ ବିଜେଡି ସୁପ୍ରିମୋ ଠିକ ପଦକ୍ଷେପ ନ’ନେଲେ ରାଜନୀତିର ନବକଳେବର ହୋଇଯିବାର ସମ୍ଭାବନା ଦେଖାଦେବ ।