ହିନ୍ଦୁ ଘରେ ଗଙ୍ଗାଜଳ କାହିଁକି ରଖାଯାଏ ? ଘରେ ଗଙ୍ଗାଜଳ ରଖିଲେ କଣ ଲାଭ ହୁଏ ତାହା ଜାଣି ରଖନ୍ତୁ

54

କନକ ବ୍ୟୁରୋ : ସାଧାରଣ ଭାବରେ ହିନ୍ଦୁମାନେ ଅନେକ ଆଧ୍ୟତ୍ମିକ ଉପରେ ବିଶ୍ୱାସ କରନ୍ତି । ତେଣୁ ଅନେକ ସମୟରେ ଘରେ ପୂଜାପାଠ ଓ ହୋମଯଜ୍ଞ ମଧ୍ୟ କରାନ୍ତି । ତେବେ ପ୍ରତ୍ୟେକ ସମୟରେ ଅର୍ଥାତ ପୂଜାପାଠ ସମୟରେ ଗଙ୍ଗାଜଳର ବ୍ୟବହାର କରାଯାଇଥାଏ । ତେଣୁ ହିନ୍ଦୁମାନଙ୍କ ଘରେ ଗଙ୍ଗାଜଳ ତ ନିଶ୍ଚିତଭାବେ ରଖାଯାଇଥାଏ। କାରଣ ଏହା ଅତି ପବିତ୍ର । ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ଏହା ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକ ଅଟେ । ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ, କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ । ଠିକ୍ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ, ଠିକ୍ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ।

 

ଏହାସହ ଗଙ୍ଗା ପ୍ରଭୁ ଶିବଙ୍କ ଜଟାରୁ ବାହାରିଛି । ତେଣୁ ତାହା ଅତ୍ୟନ୍ତ ପବିତ୍ର ବୋଲି ସମସ୍ତଙ୍କ ମନରେ ବିଶ୍ୱାସ ରହିଛି । ଏହାସହ ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ, ଗଙ୍ଗାଶ୍ଚ ଯମୁନାଶ୍ଚ ସରସ୍ୱତୀ ନର୍ମଦା ସିନ୍ଧୁ କାବେରୀ , ବୈତରଣୀ ପାପ ହାରିଣୀ ଯଥା ଗଙ୍ଗା ରୂପେଣି । ତେଣୁ ନଦୀ ମଧ୍ୟରେ ଗଙ୍ଗା ପବିତ୍ର । ଓଡିଶାରେ ପ୍ରବାହିତ ହୋଇଥିବା ବୈତରଣୀକୁ ମଧ୍ୟ ଗଙ୍ଗା ସହ ତୁଳନା ମଧ୍ୟ କରାଯାଇଛି । ପୂରାଣରେ ଉଲ୍ଲେଖ କରାଯାଇଛି ଯେ, ଗଙ୍ଗାନାମ ଧରିଲେ ବି ପବିତ୍ରତା ମିଳେ । ତେଣୁ ଅନେକ ଲୋକ ଗଙ୍ଗାଜଳ ଘରେ ରଖିଥାଆନ୍ତି ଓ ପୂଜାର୍ଚ୍ଚନା ବେଳେ ତାହକୁ ବ୍ୟବହାର ମଧ୍ୟ କରନ୍ତି । ଏହାସହ ଯେଉଁମାନେ ଶହ ଶହ କିଲୋମିଟର ଦୂରରୁ ମଧ୍ୟ ଗଙ୍ଗା ଗଙ୍ଗା ବୋଲି ଡ଼ାକନ୍ତି,ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରିଥା’ନ୍ତି। ଭଗବତୀ ଗଙ୍ଗା ଉଦଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ।ପାପୀଠୁଁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ।