ଦେବଦଳନ : ଦେବୀ ସୁଭଦ୍ରାଙ୍କ ରଥ ବାବଦରେ କିଛି ତଥ୍ୟ . . . . .

145

ଦେବୀ ସୁଭଦ୍ରାଙ୍କ ରଥର ନାଁ ଦେବଦଳନ । ଏହାକୁ ଦର୍ପଦଳନ ଓ ପଦ୍ମଧ୍ୱଜ ମଧ୍ୟ କୁହାଯାଏ ।  ‘ଦେବଦଳନ’ ଯେ ଦେବୀରଥ, ଏହି ‘ପଦ୍ମଧ୍ୱଜ’ ନାମ ତାହାର ଦ୍ୟୋତକ ।ଦର୍ପଦଳନ, ସେଇ ଆତ୍ମଶକ୍ତି ସ୍ୱୟଂ ଆରୋହଣ କରନ୍ତି ‘ଦର୍ପଦଳନ’ ରଥରେ । ଦର୍ପକୁ ଦଳନ କରି ଭକ୍ତଙ୍କୁ ଆପଣେଇ ନେବାକୁ । ସେହି ଆଦ୍ୟାଶକ୍ତି ହିଁ ଆତ୍ମଶକ୍ତି ରୂପେ ସମସ୍ତ ଜୀବରେ ବିଦ୍ୟମାନ । ଶରୀର ରୂପକ ରଥରେ ସେ ଯେପରି ଆତ୍ମଶକ୍ତି, ବିଶ୍ୱରୂପକ ରଥରେ ସେ ସେପରି ଆତ୍ମଶକ୍ତି। ଏହା ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ଵର ଜ୍ୱଳନ୍ତ ପରାକାଷ୍ଠା ।

ସୁଦର୍ଶନଙ୍କୁ ସାଂଗରେ ଧରି ଦେବଦଳନ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ଦେବୀ ସୁଭଦ୍ରା । ନନ୍ଦିଘୋଷ ଓ ତାଳଧ୍ୱଜ ଠାରୁ ଦେବଦଳନ ରଥର ଆକାର ଛୋଟ । ଏହାର ଉଚ୍ଚତା ୪୨ ଫୁଟ ୩ ଇଂଚ, ଲମ୍ବ ଓ ପ୍ରସ୍ଥ ଉଭୟ ୩୧ ଫୁଟ ୬ ଇଂଚ । ଚକ ସଂଖ୍ୟା ୧୨ । ପ୍ରତି ଚକର ବ୍ୟାସର ଆକାର ୭ ଫୁଟ ।

୫୯୩ ଖଣ୍ଡ କାଠରେ ନିର୍ମତ ଏହି ଦେବଦଳନ ରଥ । ଲାଲ ଓ କଳା ରଙ୍ଗର ବସ୍ତ୍ରରେ ଏହି ରଥ ଆଚ୍ଛାଦିତ । ରଥକୁ ଜଗିଥାନ୍ତି ଜୟଦୁର୍ଗା । ରଥର ସାରଥି ଅର୍ଜୁନ । ପତାକା ନାଦାମ୍ବିକା । ଅଶ୍ୱର ନାମ ରୋଚିକା, ମୋଚିକା, ଜିତା, ଅପରାଜିତା । ଦଉଡ଼ିର ନାମ – ସ୍ୱର୍ଣ୍ଣଚୁଡ଼ା ନାଗୁଣୀ । ରଥରେ ବାସ କରିଥାନ୍ତି ୯ ଜଣ ପାଶ୍ୱର୍ ଦେବାଦେବୀ-ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ସୁଲିଦୁର୍ଗା, ବରାହୀ, ଶ୍ୟାମାକାଳୀ, ମଙ୍ଗଳା, ବିମଳା ।