ସାତକୋଶିଆରେ ସରକାରଙ୍କୁ ଘାରିଛି ବାଘ ଡର : କୋର ଅଂଚଳରୁ ୭୮ ପରିବାରକୁ ବିସ୍ଥାପିତ କରିଛି ଜିଲ୍ଲା ପ୍ରଶାସନ

29

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାଘ ଓ ବାଘୁଣୀ ଆଣିବା ପରେ ଏବେ ପ୍ରଶାସନକୁ ଘାରିଛି ଡର । ଏଥିପାଇଁ କୋର ଅଂଚଳରେ ରହୁଥିବା ଲୋକମାନଙ୍କୁ ବିସ୍ଥାପନ କରିଛି ବନବିଭାଗ । ରାଇଗୋଡା ରେଞ୍ଜ ଜଙ୍ଗଲରେ ରହୁଥିବା ୭୮ଟି ପରିବାରକୁ ବିସ୍ଥାପିତ କରାଯାଇଛି । ସେଥିପାଇଁ ପରିବାର ପିଛା ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ତେବେ ଏହାକୁ ବିରୋଧ କରିଛନ୍ତି ରାଇଗୁଡାର ୨୭ ପରିବାର । ସେମାନଙ୍କୁ କ୍ଷତିପୂରଣ ଦିଆଯାଇନଥିବା ଅଭିଯୋଗ କରି ବିକ୍ଷୋଭ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଅନ୍ୟପଟେ ବିକ୍ଷୋଭକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ । ସେ କହିଛନ୍ତି ସରକାରଙ୍କ ନିୟମାନୁସାରେ ବିସ୍ଥାପିତ କରାଯାଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି । କିନ୍ତୁ ସାତକୋଶିଆ କୋର ଅଂଚଳରେ ସ୍ଥାୟୀ ବସବାସ କରୁନଥିବା ପରିବାରକୁ କୈାଣସି ଯୋଜନାରେ ସାମିଲ କରାଯିବାର ନିୟମ ନାହିଁ ବୋଲି ଅନୁଗୁଳ ଜିଲ୍ଲାପାଳ କହିଛନ୍ତି ।

ବନ ବିଭାଗ ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ପଦକ୍ଷେପ ନେଇଥିବାବେଳେ ବିସ୍ଥାପିତଙ୍କୁ ସୁବିଧା ସୁଯୋଗ ଯୋଗାଇ ନଦେବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରୁଛି ।