ପୁଣି ତାତିଲେ ଜେଏନୟୁ ଛାତ୍ର । ସଂସଦକୁ ଯାଉଥିବା ବେଳେ ମୁହାଁମୁହିଁ ହେଲେ ପୋଲିସ ଓ ଆନ୍ଦୋଳନକାରୀ ଛାତ୍ର ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ ।

116

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ପୁଣି ତାତିଲେ ଜେଏନୟୁ ଛାତ୍ର । ପ୍ରସ୍ତାବିତ ଫି ବୃଦ୍ଧିକୁ ବିରୋଧ କରି ସଂସଦକୁ ମାର୍ଚ୍ଚ ବେଳେ ପୋଲିସ ଆନ୍ଦୋଳନକାରୀ ଛାତ୍ର ମୁହାଁମୁହିଁ ହୋଇଛନ୍ତି । ଏପରିକି ବିକ୍ଷୋଭକାରୀଙ୍କୁ ଉଠାଇନେବା ସହ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ସେପଟେ ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀର ୩ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି ।

ପୁଣି ତାତିଲେ ଜେଏନୟୁ ଛାତ୍ର । ଜେଏନୟୁରେ ତେଜିଲା ଛାତ୍ର ଆନ୍ଦୋଳନ । ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପ୍ରସ୍ତାବିତ ଫି ବୃଦ୍ଧିକୁ ବିରୋଧ କରି ୨ରୁ ୩ହଜାର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜେଏନୟୁ ପରିସରରୁ ସଂସଦ ଭବନ ଯାଏଁ ରାଲିରେ ବାହାରିଥିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ । ଜେଏନୟୁ ଉତ୍ତର ଗେଟର ବ୍ୟାରିକେଡ ଭାଙ୍ଗି ମାର୍ଚ୍ଚକୁ ଆଗକୁ ବଢାଇଥିଲେ । ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୨ଶହ ଛାତ୍ରଛାତ୍ରୀଙ୍କୁ ପୋଲିସ ଅଟକ ରଖିଛି । ସେପଟେ ଆନ୍ଦୋଳନ ଛାତ୍ରଙ୍କୁ ରୋକିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଲୋକକଲ୍ୟାଣ ମାର୍ଗ, ଉଦ୍ୟୋଗ ଭବନ ଓ ପଟେଲ ଚୌକ ମେଟ୍ରୋ ଷ୍ଟେସନକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି ।

ସେପଟେ ଜେଏନୟ୍ରୁ କ୍ୟାମ୍ପସ ବାହାରେ ୧୪୪ ଧାରା ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟ ପରିସରକୁ ଘେରି ରହିଛି ଦିଲ୍ଲୀ ପୁଲିସ । ବ୍ୟାପକ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ପାଖାପାଖି ୧୨ଶହ ପୁଲିସ କର୍ମୀଙ୍କ ସହ ୯କମ୍ପାନୀ ଫୋର୍ସ ନିୟୋଜିତ ହୋଇଛନ୍ତି । ମଣ୍ଡି ହାଉସରୁ ଛାତ୍ରଛାତ୍ରୀଙ୍କ ରାଲିକୁ ଆଗକୁ ବଢିବାକୁ ଦେବନାହିଁ ବୋଲି ପୁଲିସ କହିବା ପରେ ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ଅଭିଯୋଗରେ ମଧ୍ୟ ଯାଂଚ କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ଠାରୁ ସଂସଦର ଶୀତକାଳିନ ଅଧିବେସନ ଆରମ୍ଭ ହୋଇଥିବାରୁ ଛାତ୍ରମାନଙ୍କୁ ଅଟକାଇବା ପୋଲିସ ପାଇଁ ଚ୍ୟାଲେଂଜ ପାଲଟିଛି । ଜେଏନୟୁ କ୍ୟାମ୍ପସଠାରୁ ୧କିଲୋମିଟର ଅଂଚଳ ଭିତରେ ଛାତ୍ରଙ୍କୁ ଅଟକାଇବାକୁ ପୋଲିସ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫି’ ବୃଦ୍ଧିକୁ ନେଇ ଗତ ୩ସପ୍ତାହ ହେଲା ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି ।