ବିିଶ୍ୱ ଦରବାରରେ ପହଞ୍ଚିବ ପୁରୁଣା ଓଡ଼ିଆ କାହାଣୀ ଅବୋଲକରା ! ୧୭ ବର୍ଷୀୟ ଲେଖକ ପ୍ରତୀକ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ

293

କନକ ବ୍ୟୁରୋ : ପୁଣି ଫେରିଛି ଅବୋଲକରା କାହାଣୀ । ଘରେ ଘରେ ପରିଚିତ ଥିବା ଅବୋଲକରାର କାହାଣୀକୁ ଇଂରାଜୀରେ ଅନୁବାଦ କରି, ବିଶ୍ୱସ୍ତରରେ ପହଂଚାଇବାର ଉଦ୍ୟମ ଜାରି ରଖିଛନ୍ତି ୧୭ ବର୍ଷୀୟ ଲେଖକ ପ୍ରତୀକ ପଟ୍ଟନାୟକ । ୫୦-୬୦ ବର୍ଷ ତଳର ଏହି ଲୋକପ୍ରିୟ ଗପଗୁଡ଼ିକୁ ଇଂରାଜୀରେ ଅନୁବାଦ କରି, ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି ପ୍ରତୀକ । ଏହା ବ୍ୟତୀତ ମିଡିୟମ୍ ଡଟ୍ କମ୍ ସ୍ଲାସ୍ ଅବୋଲକରା ସାଇଟରେ ଗପଗୁଡିକୁ ପୋଷ୍ଟ କରୁଛନ୍ତି । ଫଳରେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ଏହି ଓଡ଼ିଆ କାହାଣୀ ଗୁଡ଼ିକ ଏବେ ବିଶ୍ୱ ଦରବାରରେ ପହଂଚି ପାରୁଛି । ଆଉ ପ୍ରତୀକଙ୍କୁ ଏଥିରେ ସହଯୋଗ କରୁଛନ୍ତି ଡକ୍ଟର ଦେବଦତ୍ତ ପଟ୍ଟନାୟକ । ଓଡ଼ିଶାର କାହାଣୀକୁ ବିଶ୍ୱ ଦରବାରରେ ପହଂଚାଇବା ବ୍ୟତୀତ ଆଗାମୀ ଦିନରେ ଲୋକକଳା ଉପରେ ଗବେଷଣା କରିବାକୁ ଲକ୍ଷ୍ୟ କରିଛନ୍ତି ପ୍ରତୀକ ।

ଓଡ଼ିଆର ଲୋକପ୍ରିୟ କାହାଣୀ ମଧ୍ୟରୁ ଅବୋଲକରା କାହାଣୀ ଅନ୍ୟତମ । ଅବଲକୋରା କାହାଣୀ ପୂର୍ବରୁ ଆଇମା ମାନେ ନିଜର ନାତି ନାତୁଣୀଙ୍କୁ କହୁଥିଲେ । ସେଥିରେ ଢ଼ଗଢ଼ମାଳି, ଓଡିଆ ସଂସ୍କୃତିର ବିଭିନ୍ନ ଅଂଶ ପୁରି ରହିଛି । ସେ କାଳର ଲୋକ ମାନଙ୍କର ରୁଚି ତଥା ଚାଲି ଚଳନକୁ ଅନୁଶୀଳନ କରି ଅବୋଲକରା କାହାଣୀ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସାମାଜିକ, ଐତିହାସିକ, ପୌରାଣିକ ଆଦି କାହାଣୀ ସ୍ଥାନ ପାଇଥିଲା । ପୂର୍ବରୁ ପାଠକ ଗୋଷ୍ଠୀଙ୍କ ରୁଚିକୁ ନଜରରେ ରଖି ତିଆରି ହେଉଥିଲା ଏହି କାହାଣୀ । ତେବେ ଯୁଗ ବଦଳିବା ସଙ୍ଗେ ସଙ୍ଗେ ଏହି କାହାଣୀ ଗୁଡ଼ିକର ଲୋକପ୍ରିୟତା ଲୁଚିଗଲା । ତେବେ ଓଡ଼ିଶାର କାହାଣୀ ଗୁଡ଼ିକୁ ପୁଣି ଥରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତୀକଙ୍କ ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ । ତାଙ୍କର ଉଦ୍ୟମ ଯୋଗୁଁ ବିଶ୍ୱସ୍ତରରେ ପହଞ୍ଚିବ ଓଡ଼ିଆ କାହାଣୀ ।