ଯୌବନ ବିତୁଛି ଲୁହା ଶିକୁଳିରେ । ୨୫ ବର୍ଷ ହେଲା ମୁକ୍ତ ଅପେକ୍ଷାରେ କରଂଜିଆର ବାସନ୍ତୀ

31

କନକ ବ୍ୟୁରୋ: ଯୌବନ ବିତୁଛି ଲୁହା ଶିକୁଳିରେ । ଶିକୁଳିରେ ବନ୍ଧା ପଡିଛି ଯୁବତୀଙ୍କ ଜୀବନ । ୨୫ ବର୍ଷ ହେଲା ମୁକ୍ତ ଅପେକ୍ଷା କରିଛନ୍ତି ମୟୂରଭଂଜ କରଂଜିଆର ଝିଅ ବାସନ୍ତୀ ହୋ । ମାନସିକ ବିକାରଗ୍ରସ୍ତ ଯୋଗୁଁ ବାନ୍ଧି ରଖିଛନ୍ତି ପରିବାର ଲୋକେ ।

 

ମନକୁ ମନ କ’ଣ ଗୁଣୁ ଗୁଣୁ ହେବା ସହ ଝୁଲି ଝୁଲି ହାତ ଯୋଡ଼ି ନମସ୍କାର କରୁଛନ୍ତି ୨୫ ବର୍ଷିୟ ବାସନ୍ତୀ । ବିବାହ କରି ଘର ସଂସାର କରିବା ବୟସରେ ଶିକୁଳି ହିଁ ଏକମାତ୍ର ଶାହା ପାଲଟିଛି । ମୟୁରଭଂଜ କରଂଜିଆ ବ୍ଲକ ସରାସପୋଷୀ ଗାଁର ମଙ୍ଗୁଳି ହୋଙ୍କ ଝିଅ ବାସନ୍ତୀ ହୋ । ୪ ଭାଇରେ ଗୋଟିଏ ଭଉଣୀ ବାସନ୍ତୀ ୧୦ ବର୍ଷ ବୟସରୁ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ବୟସ ବଢ଼ିବା ସହ ବାସନ୍ତୀଙ୍କ ରୋଗ ବି ବଢୁଛି, ତେଣୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ଦେଇଛନ୍ତି ପରିବାର ଲୋକ । ବାସନ୍ତୀଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଏନେଇ ଉପଜିଲ୍ଲାପାଳ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ବାସନ୍ତିଙ୍କୁ ସହାୟତା ଦେବା ପାଇଁ ପରୋକ୍ଷରେ ପ୍ରତିଶୃତି ଦେଇଛନ୍ତି । ସେପଟେ ବ୍ଲକ ଅଧିକାରୀ କହିଛନ୍ତି ଯଥା ସମ୍ଭବ ବାସନ୍ତୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।