ଅଭିନନ୍ଦନଙ୍କ ବୀରତ୍ୱ କାହାଣୀକୁ ବର୍ଷେ । ଆଜକୁ ଠିକ୍ ବର୍ଷେ ପୂର୍ବେ ପାକିସ୍ତାନ ମାଟିରେ ପରାକ୍ରମ ଦେଖାଇଥିଲେ ବାୟୁସେନାର ବୀର ଯବାନ, ଆକାଶପଥରେ ଶତ୍ରୁକୁ କରିଥିଲେ ସାବାଡ ।

997

କନକ ବ୍ୟୁରୋ : ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ କିଏ ବା ଭୁଲି ପାରିବ । ଶତ୍ରୁ ମାଟିରେ ଅଭିନନ୍ଦନ ଯେଉଁଭଳି ବୀରତ୍ୱ ଦେଖାଇଥିଲେ ସେଥିପାଇଁ ପୂରା ଦେଶ ତାଙ୍କୁ ସଲାମ କରିଥିଲା । ଆଉ ଆଜି ଏହି ଘଟଣାକୁ ଗୋଟିଏ ବର୍ଷ ପୂରିଛି । ତେବେ କିଭଳି ଥିଲା ପୂରା ଘଟଣା ତାହା ଉପରେ ଥରେ ନଜର ପକାନ୍ତୁ ।

୨୭ ଫେବ୍ରୁଆରୀ ୨୦୧୯ । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକର ଠିକ ପରଦିନ । ସକାଳ ୮ଟା ୪୫ରେ ପଂଜାବରେ ଥିବା ଭାରତୀୟ ବାୟୁସେନାର ରାଡାର କଂଟ୍ରୋଲ ଆଲର୍ଟ କଲା ଯେ, ପାକିସ୍ତାନ ଏହାର ବାୟୁସୀମାକୁ ସାଧାରଣ ବିମାନ ଯାତ୍ରା ପାଇଁ ବନ୍ଦ କରିଦେଇଛି । ଏହି ଖବର ମିଳିବା ପରେ ତୁରନ୍ତ ୪ଟି ସୁଖୋଇ-୩୦୦ ଏମକେଆଇକୁ ଆଲର୍ଟ କରାଗଲା । ଏଥିସହ ୨ଟି ମିରାଜ ୨୦୦୦କୁ ମଧ୍ୟ ତୁରନ୍ତ ମୁତୟନ କରାଗଲା । ପୀର ପଞ୍ଜାଲ ମାଉଂଟେନ ରେଞ୍ଜରେ ଏମାନ ଉତ୍ତରରୁ ଦକ୍ଷିଣ ଦିଗରେ ପାଟ୍ରୋଲିଂ ଆରମ୍ଭ କରିଦେଲେ ।

ଏହାରି ଭିତରେ ପାକିସ୍ତାନର ରଫିକି ଓ ସାର୍ଗୋଦା ଏୟାରବେସରୁ ଏଫ-୧୬ ବିମାନଗୁଡିକ ଭାରତୀୟ ସୀମା ଅଭିମୁଖେ ଉଡାଣ ଭରିଥିଲେ । ପାକିସ୍ତାନ ଏୟାରଫୋର୍ସର ୨୪ଟି ଲଢୁଆ ବିମାନ ଆକ୍ରମଣ ମୁଦ୍ରାରେ ଭାରତୀୟ ସୀମା ଆଡକୁ ଅଗ୍ରସର ହେଲାବେଳେ ୧୧ଟି ଆମେରିକା ତିଆରି ଏଫ-୧୬ ଫାଲକନ୍, ୧୩ଟି ଜେଏଫ-୧୭ ଥଣ୍ଡର କମ୍ବାଟ ଚାଇନିଜ ଏୟରକ୍ରାଫ୍ଟ ଏବଂ ମିରାଜ-୩ ଓ ଫାଇବ ଭଳି ପାକିସ୍ତାନୀ ଲଢୁଆ ବିମାନ ଭାରତ ଆଡକୁ ମାଡିଆସିଥିଲେ । ଠିକ୍ ୯ଟା ୪୫ ବେଳକୁ ଏମାନେ ଭାରତୀୟ ସୀମା ଆଡକୁ ପଶିବାକୁ ଉଦ୍ୟମ କରିଥିଲେ ।

ନୌସେରାରେ ଥିବା ବ୍ରିଗେଡ ହେଡକ୍ୱାର୍ଟର ଓ ଜାମ୍ମୁର ନଗରୌଟାରେ ଥିବା ୧୬ କର୍ପ୍ସ ହେଡକ୍ୱାର୍ଟର ଥିଲା ଏଗୁଡିକର ଟାର୍ଗେଟ । ଅଚାନକ ଏମାନେ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲେ । ୮ଟି ଫାଇଟର ଜେଟ୍ ନଗରୌଟା ଆଡକୁ ଅଗ୍ରସର ହେଉଥିବାବେଳେ ଏମାନଙ୍କୁ ଚେଜ୍ କରିଥିଲା ଭାରତୀୟ ଲଢୁଆ ବିମାନ ମିରାଜ ୨୦୦୦ । ବିମାନଗୁଡିକ ଦୃଶ୍ୟମାନ ହେବା ପୂର୍ବରୁ ବିଅଣ୍ଡ ଭିଜୁଆଲ ରେଞ୍ଜ ମାଇକା ମିଜାଇଲ ଜରିଆରେ ଏଗୁଡିକୁ ଘଉଡାଇଥିଲା ମିରାଜ ୨୦୦୦ । ଜୋରଦାର ପ୍ରତିଆକ୍ରମଣ ଫଳରେ ଏଗୁଡିକ ବାଟଭାଙ୍ଗି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ହେଲେ ଏତିକିବେଳେ ୪ଟି ଏଫ-୧୬ ବିମାନ ନୌସେରା ସେକ୍ଟରରେ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଯାଇଥିଲେ । ଯାହାକୁ ଆଗରୁ ଜଗି ରହିଥିଲେ ୪ଟି ସୁଖୋଇ ଯୁଦ୍ଧ ବିମାନ । ଆଉ ପରେପରେ ଏମାନଙ୍କ ସହ ଯୋଗ ଦେଇଥିଲେ ମିଗ-୨୧ ବାଇସନ୍ । ଗୋଟିଏରେ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମଥର ଆକାଶପଥରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଲଢୁଆ ବିମାନ । ୪ଟି ଏଆଇଏମ ୧୨୦ ସି-୫ ଆମରାମ୍ ବା ମଧ୍ୟମ ରେଞ୍ଜର ଆକଶପଥରୁ ଆକାଶପଥରେ ନିକ୍ଷେପ ହୋଇପାରୁଥିବା ମିଜାଇଲ ମାଡ କରିଥିଲା ଏଫ-୧୬ । ହେଲେ ଏହା ଏକ ସ୍ଥାନୀୟ ବ୍ରିଜ୍ ଓ ଖୋଲା ପଡିଆକୁ ହିଟ୍ କରିଥିଲା ।

ଆଉ ମିଜାଇଲ ମାଡ କରି ପୁଣି ପାକିସ୍ତାନ ପଟକୁ ଫେରିଥିଲା ଏଫ-୧୬ ବିମାନ । ହେଲେ ଫେରିଲାବେଳେ ଏକ ଏଫ-୧୬ ବିମାନକୁ ଲକ୍ କରିଥିଲା ଅଭିନନ୍ଦନଙ୍କ ଫାଇଟର ଜେଟ୍ । ହେଲେ ବାୟୁସେନା ରାଡାରରୁ ତାଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଅତି ସଂକଟଜନକ ସ୍ଥିତିରେ ମଧ୍ୟ ଏଲଓସି ଡେଇଁ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । ଅଭିନନ୍ଦନଙ୍କ ଆକ୍ରମଣକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଟି ସିଧା ଉପରକୁ ଉଠିଥିଲା । ହେଲେ ଏହାକୁ ପିଛା କରି ଅଭିନନ୍ଦନ ରେଡିଓରେ ମେସେଜ ଦେଇଥିଲେ ଆର-୭୩ ସିଲେକ୍ଟେଡ୍ । ଏହାପରେ ସେ ଆର-୭୩ ମିଜାଇଲକୁ ନିକ୍ଷେପ କରିଥିଲେ ।

ଇତିହାସରେ ପ୍ରଥମଥର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଆକାଶରେ ଧ୍ୱଂଶ କରିଦେଇଥିଲା । ଆଉ ସେତେବେଳେକୁ ଏଲଓସି ଅତିକ୍ରମ କରି ପ୍ରାୟ ୧୦ରୁ ୧୨ କିଲୋମିଟର ପାକିସ୍ତାନ ଭତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଯେଉଁଠୁ ଫେରିଆସିବା ଆଉ ସମ୍ଭବ ହୋଇନଥିଲା । ପାକିସ୍ତାନ ପଟୁ ଭୁପୃଷ୍ଠରୁ ଏକ ମିଜାଇଲ ଆସି ଅଭିନନ୍ଦନଙ୍କ ମିଗ-୨୧କୁ ହିଟ୍ କରିଥିଲା ।

ଯାହାଫଳରେ ମିଗ-୨୧ ବିମାନଟି ପାକିସ୍ତାନ ମାଟିରେ ଖସିପଡିଥିଲା । ଆଉ ପାରାଚ୍ୟୁଟରେ ତଳକୁ ଖସିଥିଲେ ଅଭିନନ୍ଦନ । ପାରାଚ୍ୟୁଟରେ ତଳକୁ ଖସିବା ପରେ ଦକ୍ଷିଣ ପିଓକେର ହୋରା ଗାଁର ଏକ ମରୁଭୂମି ଭଳି ଅଂଚଳରେ ପହଂଚିଥିଲେ ଭାରତୀୟ ପାଇଲଟ୍ । ଆଉ ସେହିଠାରୁ ହିଁ ତାଙ୍କୁ କାବୁ କରିନେଇଥିଲା ପାକ୍ ସେନା । ଦୀର୍ଘ ୫୬ ଘଣ୍ଟା ଅଭିନନ୍ଦନଙ୍କୁ ନିଜ ମାଟିରେ ବନ୍ଦୀ କରି ରଖିଥିଲା ପାକ୍ । କିନ୍ତୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁଥିଲେ ପାକ୍ ।ଆଉ ମାର୍ଚ୍ଚ ୧ରେ ୱାଘା-ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲା ପାକିସ୍ତାନ । ପାକିସ୍ତାନ ମାଟିରେ ୫୬ ଘଣ୍ଟା ରହିଥିଲେ ମଧ୍ୟ ଅଭିନନ୍ଦନ କୌଣସି ଗୁପ୍ତ ତଥ୍ୟ ପାକ୍ ସେନାକୁ ଦେଇନଥିଲେ । ଯେଉଁଥିପାଇଁ ପୂରା ଦେଶ ତାଙ୍କୁ ସଚ୍ଚା ସୈନିକ ଭାବେ ସଲାମ କରିଥିଲା ।