ଘରକୁ ଫେରିଲେ ଭାରତର ସାହସୀ ପୁଅ । ବୀର ପାଇଲଟ୍ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଲା ପୁରା ଭାରତ ।

206

କନକ ବ୍ୟୁରୋ : ଭାରତରେ ଅଭିନନ୍ଦନ ବର୍ତମାନ । ପାକିସ୍ତାନରୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ୨ ଦିନ ଧରି ପାକ୍ କବଜାରେ ରହିବା ପରେ ଆଜି ଭାରତ ଫେରିଛନ୍ତି ବୀର ଯବାନ ଅଭିନନ୍ଦନ । ରାତି ପ୍ରାୟ ୯ଟା ୨୫ରେ ୱାଘା ବର୍ଡର ଦେଇ ସେ ଭାରତ ଫେରିଛନ୍ତି । ଯେଉଁ ମୁହୁର୍ତକୁ ଆଜି ସାରାଦେଶ ଅପେକ୍ଷା କରିଥିଲା, ସେଥିରେ ଅନେକ ସମୟ ବିଳମ୍ବ ହୋଇଥିଲା । ଭାରତୀୟ ୱିଙ୍ଗ ପାଇଲଟଙ୍କୁ ଫେରାଇବା ନେଇ ଦୁଇ ଦେଶ ମଧ୍ୟରେ କାଗଜ ପତ୍ର ଯାଂଚ୍ ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିଥିଲା ।

ସାଢେ ୬ଟାରୁ ଅଭିନନ୍ଦନଙ୍କୁ ପାକିସ୍ତାନ, ଭାରତକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହି ପ୍ରକ୍ରିୟା ରାତି ସାଢେ ୯ଟା ଯାଏଁ ଚାଲିଥିଲା । ଶେଷରେ ରାତି ପ୍ରାୟ ସାଢେ ୯ଟାରେ ପାକିସ୍ତାନ, ୱାଘା ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା । ଅଭିନନ୍ଦନଙ୍କୁ ହସ୍ତାନ୍ତର ପରେ ତାଙ୍କର ଏସଓପି ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବାୟୁସେନା କହିଛି । ସ୍ୱାସ୍ଥ୍ୟପରୀକ୍ଷା ପରେ ଅଭିନନ୍ଦନଙ୍କୁ ଅମ୍ରିତସର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯିବା କାର୍ଯ୍ୟକ୍ରମ ରହିଛି ।

ସେପଟେ ଅଭିନନ୍ଦନ, ଭାରତ ଫେରିବା ପରେ ସାରା ଭାରତରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଭାରତ ମାଟିର ବୀର ଯୋଦ୍ଧା ପାଇଲଟ୍ ଅଭିନନ୍ଦନଙ୍କୁ ୨ ଦିନ ପରେ ଫେରାଇଦେଇଛି ପାକିସ୍ତାନ । ସକାଳ ୭ରୁ ରାତି ପ୍ରାୟ ସାଢେ ୯ ଟା । ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବାକୁ ସାଢେ ୧୪ ଘଂଟାର ଅପେକ୍ଷା । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ଫେରାଇବା ନେଇ ଗତକାଲି ପାକିସ୍ତାନ ଘୋଷଣା କରିବା ପରେ ସମସ୍ତଙ୍କ ନଜର ଚାହିଁରହିଥିଲା ବୀର ଯବାନଙ୍କ ଫେରିବା ବାଟକୁ । ଏଥିପାଇଁ ଭାରତ-ପାକ୍ ସୀମା ୱାଘା ବର୍ଡରରେ ସକାଳୁ ସକାଳୁ ଜମିଥିଲା ଗଣମାଧ୍ୟମ ଏବଂ ଲୋକଙ୍କ ଭିଡ ।