ବୀର ପୁଅ ଅଭିନନ୍ଦନଙ୍କୁ ଅପେକ୍ଷା । ଆଉ ମାତ୍ର କିଛି ସମୟ ପରେ ଭାରତ ଫେରିବେ ଅଭିନନ୍ଦନ, ସ୍ୱାଗତ କରିବାକୁ ୱାଘା ବର୍ଡରରେ ଅପେକ୍ଷା କରି ରହିଛନ୍ତି ହଜାର ହଜାର ଦେଶବାସୀ

168

କନକ ବ୍ୟୁରୋ : ୱାଘା ସୀମାରେ ପହଞ୍ଚିଲେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ଆଉ ମାତ୍ର କିଛି ସମୟ ପରେ ଭାରତ ଫେରିବେ ଅଭିନନ୍ଦନ । ପାକିସ୍ତାନ ସେନାର କଡା ସୁରକ୍ଷା ମଧ୍ୟରେ ୱାଘା ବର୍ଡର ସୀମାରେ ପହଞ୍ଚିଛନ୍ତି ଅଭିନନ୍ଦନ । ତେବେ କାଗଜପତ୍ର ପାଇଁ ତାଙ୍କର ଭାରତ ଫେରିବାରେ ବିଳମ୍ବ ହେଉଛି । ଏପରିକି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ. ବିଟିଂ ଦ ରିଟ୍ରିିଟ ଉତ୍ସବ ପରେ ଅଭିନନ୍ଦନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରିବ ପାକିସ୍ତାନ । ତେବେ ଅଭିନନ୍ଦନଙ୍କ ଫେରିବାକୁ ଦୃଷ୍ଟିରେ ରଖି ଭାରତ ବିଟିଂ ଦ ରିଟ୍ରିିଟ ଉତ୍ସବକୁ ରଦ୍ଦ କରିଥିଲା ।

ତେବେ ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ୱାଘା ବର୍ଡରରେ ହାତରେ ତ୍ରିରଙ୍ଗା ଧରି ହଜାର ହଜାର ଦେଶବାସୀ ଅପେକ୍ଷା କରିୁ ରହିଛନ୍ତି । ପୂରା ଦେଶରେ ଅଭିନନ୍ଦନଙ୍କ ପାଇଁ ଏକ ଉତ୍ସବର ମାହୋଲ ରହିଛି । ଏପରିକି ଅଭିନନ୍ଦନଙ୍କୁ ସ୍ୱାଗତ କରିବାକୁ ତାଙ୍କର ପୂରା ପରିବାର ମଧ୍ୟ ୱାଘା ବର୍ଡରରେ ଉପସ୍ଥିତ ରହିଛନ୍ତି । ତେବେ ଅଭିନନ୍ଦନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅଭିନନ୍ଦନଙ୍କୁ ୱାଘା ବର୍ଡରରୁ ଅମୃତସର ବିମାନବନ୍ଦର ନିଆଯିବ । ସେଠାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ନିଆଯିବ । ସେଠାରେ ତାଙ୍କର ମେଡିକାଲ ଚେକଅପ କରାଯିବ ବୋଲି ସ୍ଥିର କରାଯାଇଛି । ଅଭିନନ୍ଦନଙ୍କ ସ୍ୱଦେଶ ପରିବର୍ତ୍ତନ ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନୁହୁଏ, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି ।

ଏହାପୂର୍ବରୁ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।