ଅଭିଜିତ ଆୟାରଙ୍କୁ ଦଣ୍ଡ ବିଧାନ ନେଇ ଗୃହ କମିଟିରେ ଭିନ୍ନ ମତ: ପ୍ରଦୀପ ପୁରୋହିତ କହିଲେ, ହେଉଛି ମାତ୍ରାଧିକ କାର୍ଯ୍ୟାନୁୂଷ୍ଠାନ, ବିଶ୍ୱ ଦରବାରରେ ନିନ୍ଦିତ ହେଉଛି ଓଡିଶା

ଦେବୀ ମିଶ୍ରଙ୍କ ସୂଚନା, ନିଆଯାଉଛି ଆଇନ ଅନୁଯାୟୀ ପଦକ୍ଷେପ

226

କନକ ବ୍ୟୁରୋ: ଅଭିଜିତ୍ ଆୟାରଙ୍କୁ ଦଣ୍ଡବିଧାନ ନେଇ ଗୃହ କମିଟିରେ ପ୍ରକାଶ ପାଇଛି ଭିନ୍ନ ମତ । ବିଜେପି ବିଧାୟତ ତଥା ଗୃହ କମିଟିର ସଦସ୍ୟ ଥିବା ପ୍ରଦୀପ ପୁରୋହିତ କହିଛନ୍ତି ଅଭିଜିତଙ୍କ ବିରୋଧରେ ନିଆଯାଉଛି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କ୍ଷମା ମାଗିବା ପରେ ତାଙ୍କୁ ଛାଡି ଦିଆଯିବ ବୋଲି ଗୃହ କମିଟିରେ ନିଷ୍ପତି ନିଆଯାଇଥିଲା । କିନ୍ତୁ ସେ କ୍ଷମା ମାଗିବା ପରେ ମଧ୍ୟ ମାସେରୁ ଅଧିକ ସମୟ ଜେଲରେ ରହିଲେଣି । ଏହା ଦ୍ୱାରା ଓଡିଶା ବିଶ୍ୱ ଦରବାରରେ ନିନ୍ଦିତ ହେଉଛି ।

ଅନ୍ୟପଟେ ବିଜେଡି ବିଧାୟକ ତଥା କମିଟିର ଅନ୍ୟତମ ସଦସ୍ୟ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆଇନ ଅନୁଯାୟୀ କାର୍ଯ୍ୟ କରାଯାଉଛି । ତେବେ ବିଧାନସଭାର ଗୃହ କମିଟିର ରିପୋର୍ଟ ଉପରେ ତାଙ୍କ ଭାଗ୍ୟ ନିର୍ଭର କରୁଛି । ଆଜି ଗୃହ କମିଟି ଅଭିଜିତ୍ ଆୟାର ପ୍ରସଙ୍ଗରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରିବେ । ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଗତକାଲି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ରିପୋର୍ଟ ଦାଖଲ କରିବାର ଥିଲା । କିନ୍ତୁ ଗୃହ ମୁଲତବି ଯୋଗୁଁ ରିପୋର୍ଟ ଦାଖଲ ହୋଇପାରିନଥିଲା ।

ତେବେ ଅଭିଜିତଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ନା ଅଭିଜିତ ଗୃହ କମିଟି ସାମ୍ନାରେ ଯେଉଁ କ୍ଷମା ମାଗିଛନ୍ତି ସେ ନେଇ କମିଟି ଗୃହକୁ ସୂଚାଇ କାର୍ଯ୍ୟାନୁଷ୍ଠାନ ନିଷ୍ପତି ଗୃହ ଉପରେ ଛାଡିଦେବେ ତାହା ଏବେ ରହସ୍ୟ ଘେରରେ ରହିଛି । କୋଣାର୍କ ,ପୁରୀ ଶ୍ରୀମନ୍ଦିର ସମେତ ଓଡିଶାର ଅସ୍ମିତାକ ଯଥେଷ୍ଟ ଆଘାତ ପହଁଚାଇଥିବା ଅଭିଜିତ୍ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ।