ଆଜି ପୁଣି ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟାର : ଦିନ ୧୧ଟା ସୁଦ୍ଧା କରିବେ ସତ୍ୟପାଠ ଦାଖଲ 

କାଲି ହାଜର ହୋଇ ଦେଇପାରିନଥିଲେ ସତ୍ୟପାଠ,ଗୃହକମିଟି ଅଧ୍ୟକ୍ଷ ଦେଲେ ଶେଷ ସୁଯୋଗ

91

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ଥରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ  । ସତ୍ୟପାଠ ଦାଖଲ  କରିବା ପାଇଁ ଡେଡଲାଇନ୍ ଦେଇଛି କମିଟି  । ଗତକାଲି ହାଜର ହୋଇଥିଲେ ମଧ୍ୟ ସେ ସତ୍ୟପାଠ ଦାଖଲ କରିପାରିନଥିଲେ ଏବଂ ସମୟ ମାଗିଥିଲେ । ଶେଷରେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ତାଙ୍କୁ ଆଜି ପୂର୍ବାହ୍ନ ୧୧ଟାରେ ସତ୍ୟପାଠ ସହ ହାଜର ହେବାକୁ ନିର୍ଦେଶ ଦେଇଥିଲେ ।

ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ ଚେତାବନୀ ବି ଦେଇଥିଲେ। ଗୃହ କମିଟି ବୈଠକ ପରେ ସାମ୍ବାଦିକମାନଙ୍କୁ ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଲେ ଯେ ଅଭିଜିତ୍ ତାଙ୍କ ଓକିଲ ସତ୍ୟପାଠ ନେଇ ଶୀଘ୍ର ଆସିବେ ବୋଲି କହିଥିଲେ। ଏଥିପାଇଁ ଗୃହ କମିଟି ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । କିନ୍ତୁ ସତ୍ୟପାଠ ମିଳିଲାନାହିଁ । ଯଦି ଆସନ୍ତାକାଲି ସେ ସତ୍ୟପାଠ ଦାଖଲ ନ କରନ୍ତି ପ୍ରଶ୍ନର ଉତ୍ତରରେ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ କହିଥିଲେ ।  ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ ।  ଏହି ଦିନ ବିଧାନସଭା କମିଟିରେ ହାଜର ତାପରେ  ଅଭିଜିତ ଆୟର ଗିରଫ ହୋଇଥିଲେ ।