ଆସନ୍ତା ୨୩ରେ ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟର ! ନିଜ ମନ୍ତବ୍ୟ ପାଇଁ ମାଗିଲେ କ୍ଷମା, କହିଲେ ହେଲିକପ୍ଟରରେ ଉଡି ଫସିଗଲି

43

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ବିଧାନସଭା ଗୃହ କମିଟିରେ ହାଜର ହେବେ ଅଭିଜିତ୍ ଆୟର ମିତ୍ର । ଆଜି ଏନେଇ ସେ ସ୍ପଷ୍ଟ କରିଛନ୍ତି । ଅଭିଜିତ୍ କହିଛନ୍ତି, ହେଲିକପ୍ଟରରେ ଉଡିବା ତାଙ୍କ ପାଇଁ ଏତେ ଅସୁବିଧା ସୃଷ୍ଟି କରିପାରିବ ବୋଲି ସେ ଜାଣିନଥିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବିଧାୟକଙ୍କୁ ନେଇ ଦେଇଥିବା ଅଶ୍ଳୀଳ ମନ୍ତବ୍ୟ ପାଇଁ ସେ ପୁଣି କ୍ଷମା ମାଗିଛନ୍ତି । ଏଥିସହ ଆୟର କହିଛନ୍ତି, ସେ ବୈଜୟନ୍ତ ପଣ୍ଡାଙ୍କୁ ଚିହ୍ନିନାହାଁନ୍ତି ।

ପ୍ରଥମେ କହିଲେ ଅକ୍ଷମଣୀୟ ଅପରାଧ କରିଛି । ଆଉ ଆଜି ଆୟର କହିଛନ୍ତି, ଆଘାତ ଦେଇଛି, କ୍ଷମା ମାଗୁଛି । କୋଣାର୍କର କାରୁକାର୍ଯ୍ୟ ଓ ବିଧାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିବା ଅଭିଜିତ୍ ଆୟର ମିତ୍ର ପୁଣି ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଆୟର କହିଛନ୍ତି, ଏଣିକି ସୋସିଆଲ ମିଡିଆରେ ଭାବି ଚିନ୍ତି ପୋଷ୍ଟ କରିବେ ।

ଓଡିଶାର ସଂସ୍କୃତିକୁ ଅପମାନିତ କରିବା ପରେ ଅଭିଜିତ୍ ଆୟର କହିଛନ୍ତି, ହେଲିକପ୍ଟରରେ ଉଡିବା ଏତେ ଅସୁବିଧା ସୃଷ୍ଟି କରିବ ବୋଲି ସେ ଜାଣିନଥିଲେ । ତେବେ ଯାହା ସହ ହେଲିକପ୍ଟରରେ ଉଡି ଓଡିଶାର ପର୍ଯ୍ୟଟନ ସ୍ଥଳୀ ବୁଲିଥିଲେ ଆଉ ପରେ ବିବାଦୀୟ ଭିଡିଓ ପୋଷ୍ଟ କରିଥିଲେ, ତାଙ୍କୁ ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ।

ଓଡିଶାର ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହେବା ପରେ ଗୃହ କମିଟି ଗଠନ କରାଯାଇ ଅଭିଜିତଙ୍କୁ ହାଜର ହେବାକୁ ସମନ କରାଯାଇଥିଲା । ହେଲେ ଭାରତ ବନ୍ଦର ଆଳ ଦେଖାଇ ଆସିନଥିଲେ ଆୟର । ଏବେ କହିଛନ୍ତି ଆସନ୍ତା ୨୩ ତାରିଖରେ ସେ ଗୃହ କମିଟିରେ ହାଜର ହେବେ । ଅଭିଜିତ ଆୟର କହିଛନ୍ତି, ଓଡିଶାର ବଡ ଇତିହାସ ରହିଛି । ଯାହା ସମ୍ପର୍କରେ ଅତି ପାଖରୁ ଜାଣିବାକୁ ସେ ଓଡିଶା ଆସିଥିଲେ । ହେଲେ ଓଡିଶା ବୁଲି ଆସିଥିବା ଅଭିଜିତ୍ ଓଡିଶାର ସଂସ୍କୃତି ଓ ପରମ୍ପରାର ମଜାକ୍ ଉଡାଇ ବଡ ଭୁଲ୍ କରିଦେଇଛନ୍ତି । ଯାହା ପାଇଁ ବାରମ୍ବାର ପସ୍ତାଉଛନ୍ତି ଆଉ ଭୁଲ ମାଗୁଛନ୍ତି ଅଭିଜିତ୍ ଆୟର ।