ଆଜି ଗୃହ କମିଟି ସମ୍ମୁଖରେ ହାଜର ହୋଇପାରନ୍ତି ଆୟାର ! ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର ।

43

ବିଧାନସଭାର ଗୃହ କମିଟି ସମ୍ମୁଖରେ ହାଜର ହୋଇପାରନ୍ତି ଅଭିଜିତ ଆୟାର ମିତ୍ର । ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ଓଡ଼ିଶାର ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଏହାର ତଦନ୍ତ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଗୃହ କମିଟି ଅଭିଜତଙ୍କୁ ୧୧ତାରିଖ (ଗୁରୁବାର) ହାଜର ହେବାକୁ ନୋଟିସ୍ କରିଥିଲା । କୋଣାର୍କ ମନ୍ଦିର ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ କିଛି ଦିନ ତଳେ ଅଭିଜିତ କୋଣାର୍କ ଥାନାରେ ହାଜର ହେବାର ଥିଲା । ଅଭିଜିତ ପୁରୀ ଏସପିଙ୍କୁ ସୁରକ୍ଷା ମାଗିଥିଲେ । କିନ୍ତୁ ଅବଧି ଗଡ଼ି ଯାଇଥିଲେ ହେଁ ଅଭିଜିତ ଥାନାରେ ହାଜର ହୋଇ ନ ଥିଲେ ।

ଅନ୍ୟପକ୍ଷରେ ଅଭିଜିତଙ୍କ ଅନ୍ତରୀଣ ଜାମିନ୍ ଅବଧି ଗତ ୫ ତାରିଖରୁ ଶେଷ ହୋଇଥିବା ବେଳେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତାଙ୍କ ପାଇଁ ଜେଲ୍ ହିଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ଭର୍ତ୍ସନା କରି କହିଥିଲେ । କୋର୍ଟଙ୍କ ନିର୍ଦେଶ ମୁତାବକ, ଗତ ୫ ତାରିଖରେ ଅଭିଜିତ କୋଣାର୍କ ଥାନାରେ ହାଜର ହେବା କଥା । କିନ୍ତୁ ଅଭିଜିତ ଏବେ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ଆସନ୍ତାକାଲି ସେ ଗୃହ କମିଟି ନିକଟରେ ହାଜର ହେବା ନେଇ ପ୍ରଶ୍ନ ମଧ୍ୟ ଉଠିଛି ।

ପ୍ରକାଶଥାଉକି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣ ଓଡ଼ିଆ ବନ୍ଧୁ ଅଭିଜିତ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ, ଓଡ଼ିଶା ଓ ଓଡ଼ିଶାର ଆଇନପ୍ରଣେତାମାନଙ୍କ ସମ୍ପର୍କରେ ଭିତ୍ତିହୀନ ଓ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ନେଇ କୋଣାର୍କ ଥାନାରେ ଅଭିଜିତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ବିଧାନସଭା ଗୃହ କମିଟି ଏହାର ବିଚାର କରି ଆସନ୍ତାକାଲି (ଗୁରୁବାର) ହାଜର ହେବାକୁ ନୋଟିସ୍ ଦେଇଥିଲା ।