ଅଭିଜିତଙ୍କୁ ମିଳିବ କି ଦଣ୍ଡ? ବିଧାନସଭା ଗୃହ କମିଟି ଆଗରେ ହାଜର ହେଲେ ଅଭିଜିତ ଆୟାର, କଳା ଓ ସଂସ୍କୃତିକୁ ଅପମାନିତ କରିବା ମାମଲାରେ ହୋଇପାରନ୍ତି ଗିରଫ

43

କନକ ବ୍ୟୁରୋ: ବିଧାନସଭାରେ ଅଭିଜିତ ଆୟାର ମିତ୍ର । ଆଜି ଗୃହ କମିଟି ଆଗରେ ହାଜର ହୋଇଛନ୍ତି । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ତାଙ୍କୁ ପ୍ରଥମେ ପଚରାଉଚରା କରୁଥିବା ଜଣାପଡିଛି । ତାପରେ ଅନ୍ୟ ସଦସ୍ୟମାନେ ମଧ୍ୟ ପ୍ରଶ୍ନ ପଚାରି ପାରନ୍ତି । ତେବେ ଅଭିଜିତ୍ କଣ କହୁଛନ୍ତିି ତା ଉପରେ ସମସ୍ତଙ୍କ ନଜର ରହିଛି । ଅଭିଜିତ ବିଧାୟକଂକ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଅଭିଜିତଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ତାପରେ ସର୍ବଦଳୀୟ ବୈଠକର ନିଷ୍ପତି କ୍ରମେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ବିଧାନସଭା ଗୃହ କମିଟି । ଅକ୍ଟେବାର ୧୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଂକୁ ନିର୍ଦ୍ଦେଶ ଦେଇଥିଲା କମିଟି । ତେବେ ତିତଲି ବାତ୍ୟା କାରଣ ଦର୍ଶାଇ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ ।

ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆଜିକୁ ଡେଡଲାଇନ୍ ଦେଇଥିଲା କମିଟି । ସେପଟେ ଓଡିଶାର କଳା ଓ ସଂସ୍କୃତିକୁ ଅପମାନିତ କରିବା ନେଇ ତାଙ୍କ ବିରୋଧରେ ପୁରୀ ଓ କୋଣାର୍କ ଥାନାରେ ମାମଲା ରହିଛି । ତେଣୁ ତାଙ୍କୁ ଆଜି ଗିରଫ କରବାର ମଧ୍ୟ ସମ୍ଭାବନା ରହିଛି ।