ଦିଲ୍ଲୀରେ ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କଲା ଓଡିଶା ପୋଲିସ, ସାକେତ କୋର୍ଟରୁ ମିଳିଲା ସର୍ତମୂଳକ ଜାମିନ । ଜାଣନ୍ତୁ କେଉଁ ଆଧାରରେ ଜାମିନ ପ୍ରଦାନ କଲେ କୋର୍ଟ

25

କନକ ବ୍ୟୁରୋ : ଗିରଫ ପରେ ଜାମିନରେ ଗଲେ ଅଭିଜିତ ଆୟାର ମିତ୍ର । ହେଲେ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି ଦିଲ୍ଲୀ ସାକେତ କୋର୍ଟ । ଆଗାମୀ ୨୮ ତାରିଖରେ ତାଙ୍କୁ କୋଣାର୍କ ଥାନାରେ ହାଜର ହେବାକୁ ପଡିବ । ଓଡିଶା ଓ ଓଡିଆଘଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅଭିଜିତ । କୋଣାର୍କ ମନ୍ଦିର କାରୁକାର୍ଯ୍ୟକୁ ନେଇ ଯେଉଁ ଅରୁଚିକର ଟିପ୍ପଣୀ ସୋସିଆଲ ମିଡିଆରେ କରିଥିଲେ, ତାପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓଡିଶା ପୋଲିସ ।

ଓଡିଶାର ଅସ୍ମିତା ଓ ସ୍ୱାଭିମାନକୁ ବାରମ୍ବାର କୁଠାରଘାତ, ଅଭିଜିତ ଆୟାର ମିତ୍ରଙ୍କୁ ମହଙ୍ଗା ପଡିଛି । ତାଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ଅଂଚଳରୁ ପୋଲିସ ଗିରଫ କରିଥିଲା । ସାକେତ୍ କୋର୍ଟରେ ହାଜର କରିବା ପରେ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି ଅଭିଜିତ୍ । ଧର୍ମୀୟ ଭାବାବେଗକୁ ଆଘାତ ଦେବା ଅଭିଯୋଗରେ ଆଇପିସିର ଦଫା ୨୯୫- ଏ ଧାରାରେ ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କରାଯାଇଥିଲା ।
ଆଇପିସିର ୨୯୫-ଏ ଦଫା
– କାହାରି ଧର୍ମୀୟ ଭାବନାକୁ ଆଘାତ ଦେବା
– ଜାଣିଶୁଣି ଓ ଉଦ୍ଦେଶ୍ୟମୂଳ ଭାବେ କର୍ଯ୍ୟ କରିବା
– ଭାରତୀୟଙ୍କ ଧାର୍ମିକ ଚିନ୍ତାଧାରାକୁ ଆଘାତ କରିବା
ଏହି ଧାରାରେ ଜେଲ ଦଣ୍ଡ ଓ ଜରିମାନାର ମଧ୍ୟ ବ୍ୟବସ୍ଥା ରହିଛି । ଏହ ଦଫା ଅନୁସାରେ ସର୍ବାଧିକ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।

ସାଢେ ୪କୋଟି ଓଡିଆଙ୍କ ଆରାଧ୍ୟ ଦେବାତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ଅରୁଚିକର ମନ୍ତବ୍ୟ ସେ ରଖିଥିଲେ ତା ବିରୋଧରେ ସକ୍ରିୟ ହୋଇଥିଲା ପୋଲିସ । କୋଣାର୍କର କାରୁକାର୍ଯ୍ୟ ଓ ବିଧାୟକମାନଙ୍କ ସଂପର୍କରେ ସୋସିଆଲ ମିଡିଆରେ ମନ୍ତବ୍ୟ ପାଇଁ ଦିଲ୍ଲୀରେ ଗିରଫ କରିଥିଲା ଓଡିଶା ପୋଲିସ ।ଦିଲ୍ଲୀରେ ଅଭିଜିତଙ୍କୁ ଓଡିଶା ପୋଲିସ ଗିରଫ କରିଥିବା ନେଇ ତାଙ୍କ ବନ୍ଧୁ ଆରତି ଟିକୁ ସିଂଙ୍କ ଏକ ଟ୍ୱିଟରୁ ସୂଚନା ମିଳିଥିଲା । ଯେଉଁଥିରେ ସେ ଗିରଫଦାରିକୁ ନିନ୍ଦା କରିବା ସହ ଆମେ ମଧ୍ୟଯୁଗରେ ଥିବା ଉଲ୍ଲେଖ କରିଥିଲେ ।

ଦିଲ୍ଲୀ ସାକେତ କୋର୍ଟରେ ଅଭିଜିତଙ୍କୁ ହାଜର ପରେ ଓଡିଶା ପକ୍ଷରୁ ମାମଲା ଲଢୁଥିବା ଓକିଲ ତାଙ୍କ ଜାମିନକୁ ବିରୋଧ କରିଥିଲେ । କହିଥିଲେ ଜାମିନ ମିଳିଲେ ଓଡିଆଙ୍କ ଭାବାବେଗକୁ ଆଘାତ ପହଂଚିବ । ଅଭିଜିିିିତଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀଙ୍କ ସମେତ ୯ଜଣିଆ ଓକିଲଙ୍କ ଏକ ଟିମ୍ ଜାମିନ ସପକ୍ଷରେ ଯୁକ୍ତି ବାଢିଥିଲେ ।
ଆଉ ଶେଷରେ ଦିଲ୍ଲୀ ସାତେକ କୋର୍ଟ ଅଭିଜିତଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । କୋର୍ଟ କହିଛନ୍ତି
– ପୋଲିସର ପ୍ରଥମ ନୋଟିସରେ ହାଜର ହୋଇନାହାନ୍ତି ଅଭିଯୁକ୍ତ
– ତେଣୁ ତାଙ୍କୁ ଥାନାରେ ହାଜର ପାଇଁ ଦ୍ୱିତୀୟ ନୋଟିସ୍ କରାଯାଉ
– ଆସନ୍ତା ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବେ ଅଭିଜିତ

କୋଣାର୍କର କାରୁକାର୍ଯ୍ୟକୁ ନେଇ ଆପତିଜନକ ଟିପ୍ପଣୀ କରିଥିବା ଅଭିଜିତ ବିବାଦୀୟ ହୋଇପଡିବା ପରେ ଚାରିଆଡୁ ସମାଲୋଚନା ହୋଇଥିଲା । ହେଲେ ଏଥିରୁ ସେ ଦୂରେଇ ରହିବା ପରିବର୍ତେ ଓଡିଶା ଓ ଓଡିଆଙ୍କ ସଂପର୍କରେ ବାରମ୍ବାର ଅଭଦ୍ରୋଚ୍ଚିତ ମନ୍ତବ୍ୟମାନ ରଖିଚାଲିଲେ । ଯେଉଁଥିପାଇଁ ତାଙ୍କ ବିରୋଧରେ ଭୁବନେଶ୍ୱର ଓ କୋଣାର୍କରେ ଦୁଇଟି ମାମଲା ମଧ୍ୟ କରାଯାଇଛି ।