ବିଧାନସଭା ଗୃହ କମିଟି ଆଗରେ ଭୁଲ ମାଗିଲେ ଅଭିଜିତ ଆୟାର : କହିଲେ ଏଭଳି କହିବା ମୋର ନିର୍ବୋଧତା

41

କନକ ବ୍ୟୁରୋ : ବିଧାନସଭା ଗୃହ କମିଟି ଆଗରେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ହାଜର ହୋଇଛନ୍ତି ଅଭିଜିତ୍ ଆୟାର ମିତ୍ର । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଗୃହ କମିଟିରେ କ୍ଷମା ମାଗିଛନ୍ତି ଅଭିଜିତ୍ ଆୟାର ମିତ୍ର । ମିଳିଥିବା ଖବର ଅନୁସାରେ ସେ କହିଛନ୍ତି ଏଭଳି କହିବା ତାଙ୍କର ନିର୍ବୋଦ୍ଧତା ଥିଲା । ବିଧାୟକଙ୍କ ବିରୋଧରେ କହିଥିବାରୁ କ୍ଷମା ମାଗୁଛି । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଅଭିଜିତଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗଡେଇତୁଡେଇ ପ୍ରଶ୍ନ ପଚାରି ଥିବା ଜଣାପଡିଛି । କୋଣାର୍କ ମନ୍ଦିରକୁ ନେଇ ଅଶାଳିନ ମନ୍ତବ୍ୟ ପ୍ରସଙ୍ଗ ଓ ହେଲିକପ୍ଟରରେ ଉଡାଣ ପ୍ରସଙ୍ଗରେ ମଧ୍ୟ ଅଭିଜିତଙ୍କୁ ପ୍ରଶ୍ନ କରିଥିଲେ ନରସିଂହ । ଅନ୍ୟ ସଦସ୍ୟମାନେ ମଧ୍ୟ ଅଭିଜିତଙ୍କୁ ପ୍ରଶ୍ନ କରିଛନ୍ତି ।

 

ଅଭିଜିତ ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଭିଜିତଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆସିଥିଲା । ତାପରେ ସର୍ବଦଳୀୟ ବୈଠକର ନିଷ୍ପତି କ୍ରମେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ବିଧାନସଭା ଗୃହ କମିଟି । ଅକ୍ଟେବାର ୧୧ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଥିଲା କମିଟି ।

 

ତେବେ ତିତଲି ବାତ୍ୟା କାରଣ ଦର୍ଶାଇ ଗୃହ କମିଟି ଆଗରେ ହାଜର ହୋଇ ନଥିଲେ । ପରେ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆଜିକୁ ଡେଡଲାଇନ୍ ଦେଇଥିଲା କମିଟି । ତେବେ ଅଭିଜିତଙ୍କ ବିରୋଧରେ ଗୃହ କମିଟି କି ଆଭିମୁଖ୍ୟ ଦେଖାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଓଡିଶାର କଳା ଓ ସଂସ୍କୃତିକୁ ଅପମାନିତ କରିବା ନେଇ ତାଙ୍କ ବିରୋଧରେ କୋଣାର୍କ, ପୁରୀ ଓ ଭୁବନେଶ୍ୱର ଥାନାରେ ମାମଲା ରହିଛି ।

 

ତେଣୁ ତାଙ୍କୁ ଆଜି ଗିରଫ କରିବାର ମଧ୍ୟ ସମ୍ଭାବନା ରହିଛି । ଗୃହ କମିଟିରେ ହାଜର ହେବା ପରେ ତାଙ୍କୁ ଶହୀଦ୍ ନଗର ଥାନାରେ ହଜାର କରାଯାଇପାରେ । ତାଙ୍କୁ ଗିରଫ କରିବା ପାଇଁ ଅଭିଜିତ୍ ଆୟାରଙ୍କ ପ୍ରସଙ୍ଗରେ ଡିଜିପି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା, କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀି, ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ ଓ କମିଶନର ସତ୍ୟବ୍ରତ ମହାନ୍ତି ଆଲୋଚନା କରିଛନ୍ତି । ଆଲୋଚନା ପରେ ପୁରୀ ଏସପି କହିଛନ୍ତି ଗୃହକମିଟିର ବୈଠକ ପରେ ନିଷ୍ପତି ନିଆଯିବ ।