ଶେଷରେ କ୍ଷମା ମାଗିଲେ ଆୟାର । ବାଚସ୍ପତିଙ୍କୁ ଚିଠି ପଠାଇ କ୍ଷମା ପ୍ରାର୍ଥନା, ପୁଣି ହାଜର ହେବାକୁ ଆୟାରଙ୍କୁ ନୋଟିସ୍ ।

65

କନକ ବ୍ୟୁରୋ : ଓଡ଼ିଶାର ଐତିହ୍ୟ ଏବଂ ବିଧାୟକଙ୍କ ଉପରେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ । ଆସନ୍ତା ୨୩ ତାରିଖ ଦିନ ଗୃହ କମିଟିରେ ହାଜର ହେବାକୁ ପୁଣି ନୋଟିସ୍ । କାରଣ ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହେବାକୁ ଆୟାରଙ୍କୁ ନୋଟିସ୍ ହୋଇଥିଲେ ମଧ୍ୟ ହାଜର ହେଲେନି ଆୟାର । ତେଣୁ ବୈଠକ ପରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ନରସିଂହ କହିଛନ୍ତି ଯେ, ଅଭିଜିତଙ୍କୁ ହାଜର ହେବାକୁ ପୁଣି ନୋଟିସ କରାଯାଇଛି । ଆସନ୍ତା ଅକ୍ଟୋବର ୨୩ରେ  ହାଜର ହେବାକୁ ଗୃହ କମିଟି ପକ୍ଷରୁ ନୋଟିସ୍ ହୋଇଛି । ତେବେ ଅଭିଜିତ୍ ବାଚସ୍ପତି ଓ ଗୃହ କମିଟିକୁ ୨ଟି ଇମେଲ୍ ପଠାଇଥିବା କହିଛନ୍ତି ନରସିଂହ ମିଶ୍ର । ସେ କରିଥିବା ଅପରାଧ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ଗୃହ କମିଟି ସମ୍ମୁଖରେ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ, ଚିଠି ଯୋଗେ କ୍ଷମା ମାଗିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଅନ୍ୟପଟେ ଅଭିଜିତ୍ ଙ୍କ ଅନ୍ତରୀଣ ସୁରକ୍ଷା ଜାମିନ୍ ଗତ ୫ ତାରିଖରୁ ଶେଷ ହୋଇଥିବାବେଳେ ୧୧ ତାରିଖ ପୂର୍ବରୁ ସେ ପୁରୀ ଏସପିଙ୍କୁ ସୁରକ୍ଷା ମାଗିଥିଲେ । କିନ୍ତୁ ବର୍ତ୍ତମାନ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଇ-ମେଲ୍ ଦ୍ୱାରା ସେ ଦେଇଥିବା ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଶା ବିରୋଧୀ ମନ୍ତବ୍ୟ ଯୋଗୁଁ ଆୟାରଙ୍କୁ ଭର୍ତ୍ସନା କରିଥିଲେ । ଧର୍ମୀୟ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଦର୍ଶାଇ ପ୍ରଧାନ ବିଚାରପତି ରଂଜନ ଗୋଗେଇ ଅଭିଜିତଙ୍କ ଜାମିନ୍ ନାମଞ୍ଜୁର ମଧ୍ୟ କରିଥିଲେ । ଅଭିଜିତଙ୍କ ପାଇଁ ଜେଲ୍ ସର୍ବଶ୍ରେଷ୍ଠ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କ ଜାମିନ୍ ଆବେଦନ ଶୁଣାଣି କରି ଟିପ୍ପଣୀ ଦେଇଥିଲେ । ତେବେ କିଭଳି ଜଣେ ଅଣ ଓଡ଼ିଆ ହୋଇ କୋଣାର୍କ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ପ୍ରତିବାଦର ସ୍ୱର ଉଠିଥିଲା ହେଲେ ଆଜି ଗୃହ କମିଟିରେ ହାଜର ନହେବାରୁ ପୁଣି ତାଙ୍କୁ ନୋଟସ୍ ହୋଇଛି । ଏଠି ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟ ଆୟରଙ୍କ ବେଲ୍ ଖାରଜ କରାଯିବା ପରେ ଏବଂ ଗୃହ କମିଟିର ନୋଟିସ୍ ପରେ କାହିଁକି କଡ଼ା କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି ।