କନକ ବ୍ୟୁରୋ : ଓଡ଼ିଶାରେ ଦାରିଦ୍ର୍ୟ ଦୂରିକରଣ ସଂପର୍କରେ ଗବେଷଣା କରିଛନ୍ତି ଅଭିଜିତ୍ ବାନାର୍ଜୀ । ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀ, ତାଙ୍କ ପୁସ୍ତକରେ ଓଡ଼ିଶାର ଅନେକ ଉଦାହରଣ ରଖିଛନ୍ତି । ଗରିବଙ୍କୁ ମିଳୁଥିବା ଚାଉଳ, ନିର୍ମାଣ ଶ୍ରମିକ ଏବଂ ଜଳ ଓ ପରିମଳ ସଂପର୍କରେ ଅଭିଜିତ୍ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏସଥର୍ ଡୁଫ୍ଲୋ ଲେଖିଥିବା ପୁସ୍ତକ ‘ପୋର୍ ଇକୋନୋମିକ୍ସ’ରେ ବର୍ଣ୍ଣନା କରିଛନ୍ତି । ନୋବେଲ ପୁରସ୍କାର ବିଜେତା ଅଭିଜିତ୍ ବାନାର୍ଜୀଙ୍କ ବହିରେ ଓଡ଼ିଶା ସଂପର୍କରେ କ’ଣ ରହିଛି ତଥ୍ୟ, ତାହା ଉପରେ ଥରେ ନଜର ପକାନ୍ତୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାରା ପୃଥିବୀରେ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଗବେଷଣା କରି ଚଳିତବର୍ଷ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅଭିଜିତ ବାନାର୍ଜୀ, ତାଙ୍କ ପୁସ୍ତକ ‘ପୁଅର୍ ଇକୋନୋମିକ୍ସ’ରେ ଓଡ଼ିଶାର ଉଦାହରଣ ରଖି ଗରିବଙ୍କୁ ମିଳୁଥିବା ଚାଉଳ ସଂପର୍କରେ ବର୍ଣ୍ଣନା କରିଛନ୍ତି । ଅଭିଜିତ ଏଥିରେ ଲେଖିଛନ୍ତି- ବଜାରରେ ମିଳୁଥିବା ଚାଉଳଠାରୁ ବହୁତ କମ୍ ଦାମରେ ଗରିବଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ଗରିବ ଲୋକଙ୍କୁ ମାସିକ ପ୍ରାୟ ୫୫ ପାଉଣ୍ଡ ଚାଉଳ ଦିଆଯାଉଛି । ଗୋଟିଏ ପାଉଣ୍ଡ ଚାଉଳ ପାଖାପାଖି ୪ଟଙ୍କା ଭିତରେ ମିଳିଯାଉଛି । ଏମିତି କି, ଖାଦ୍ୟ ଅଧିକାର ଆଇନ ଆଣିବାକୁ ଭାରତର ସଂସଦରେ ବିଚାର କରାଯାଉଛି ।
ଏହି ବହି ଲେଖା ହେବା ସମୟରେ ଭାରତରେ ଖାଦ୍ୟ ସୁରକ୍ଷା ଆଇନ ଆସିନଥିଲା, ହୁଏତ ସେଥିପାଇଁ ସଂସଦରେ ଏଦିଗରେ ବିଚାର କରାଯାଉଛି ବୋଲି ବାନାର୍ଜୀ ଲେଖିଛନ୍ତି । ସେହିପରି ୪ଟଙ୍କାରେ ଚାଉଳ ସଂପର୍କରେ ଯେଉଁ କଥା ଲେଖିଛନ୍ତି ତାହା ଆଜିର ଟଙ୍କିକିଆ ଚାଉଳକୁ ସୂଚାଉଛି ।
ଅଭିଜିତ୍ ଓଡ଼ିଶାର ଜଳ ଓ ପରିମଳ ସୁଧାର ଦିଗରେ ‘ଗ୍ରାମ ବିକାଶ’ର ଭୂମିକା ସଂପର୍କରେ ମଧ୍ୟ ଲେଖିଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶର ସିଇଓଙ୍କ ସହ ମଧ୍ୟ ଅଭିଜିତ୍ ଆଲୋଚନା କରିଥିଲେ । ଗ୍ରାମ ବିକାଶ ଏନଜିଓର ସିଇଓ ଜୋ ମାଡିଆଥଙ୍କୁ ଉଦୃତ କରି ଲେଖିଛନ୍ତି- -ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଜଳ ଓ ପରିମଳ ସମସ୍ୟା ବେଶ ଉକ୍ରଟ ହୋଇପଡ଼ିଥିଲା । ଏହି ସମୟରେ ଗ୍ରାମ ବିକାଶ ଏନଜିଓର କର୍ମକର୍ତାମାନେ ଏଥିରେ ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ । ପ୍ରତି ଘରକୁ ପାଣି, ପାଇଖାନା, ଏବଂ ପାଇପ ଯୋଗେ ଜଳ ଯୋଗାଣର ଲକ୍ଷ୍ୟ ଥିଲା । ତେବେ ଜାତି ବିଭେଦ ଯୋଗୁଁ, ଏଥିରେ ପ୍ରଥମେ ସମସ୍ୟା ହୋଇଥିଲା । କିନ୍ତୁ ପରର୍ବତୀ ସମୟରେ ଲୋକ ଏଥିରେ ରାଜି ହୋଇଥିଲେ ।
ସେହିପରି ଗ୍ରାମାଚଂଳରୁ ସହରକୁ ଚାଲି ଆସୁଥିବା ନିର୍ମାଣ ସଂପର୍କରେ ମଧ୍ୟ ଅଭିଜିତ୍ ଏବଂ ତାଙ୍କ ପତ୍ନୀ ଏହି ପୁସ୍ତକରେ ଲେଖିଛନ୍ତି । ନିର୍ମାଣ ଶ୍ରମିକମାନେ ବାଧ୍ୟ ବାଧକତାରେ ସହରାଂଚଳକୁ କାମ ଅନ୍ୱେଷଣରେ ଚାଲି ଆସୁଛନ୍ତି । କମ୍ ରୋଜଗାରରେ ପରିବାରକୁ ଆଣି ସହରରେ ରହିବା ନିର୍ମାଣ ଶ୍ରମିକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଅନେକ ବିକଶିତ ସହର, ଏହି ନିର୍ମାଣ ଶ୍ରମିକମାନଙ୍କ ପାଇଁ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି । ଦାରିଦ୍ର୍ୟ ଦୂରୀକରଣ ଦିଗରେ ଅଭିଜିତଙ୍କ ଗବେଷଣା ବେଶ ଉପାଦେୟ ମନେ ହେଉଥିବାରୁ ତାଙ୍କୁ ମିଳିବ ନୋବେଲ ପୁରସ୍କର । ଆଉ ଓଡ଼ିଶା ସମ୍ପର୍କରେ ଅଭିଜିତଙ୍କ ଅନୁଧ୍ୟାନ ଓଡ଼ିଶା ପାଇଁ ବେଶ ସହାୟକ ହେବ ବୋଲି ବିଚାର କରାଯାଉଛି ।