ଓଡିଶା ସଂସ୍କୃତିକୁ ନିନ୍ଦିଲେ ବୈଜୟନ୍ତଙ୍କ ବନ୍ଧୁ ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଉଠାଇଲେ ସବୁଠୁ ବଡ ପ୍ରଶ୍ନ, ନିନ୍ଦା କଲା ଓଡିଶା

82

କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ହେଉଛନ୍ତି ବଙ୍ଗାଳୀଙ୍କର । କଳିଙ୍ଗର ଶାସକମାନେ ଜଗନ୍ନାଥଙ୍କୁ ବେଙ୍ଗଲରୁ ଚୋରାଇ ଆଣିଛନ୍ତି । ଓଡିଶା ବାସୀଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ପୂର୍ବରୁ ଏଭଳି ଅନେକ ବିବାଦୀୟ ଟ୍ୱିଟ୍ କରିଛନ୍ତି ବୈଜୟନ୍ତଙ୍କ ହେଲିକପ୍ଟରରେ ବୁଲୁଥିବା ସାଥୀ ଅଭିଜିତ୍ ଆୟାର । ଏପରିକି ଓଡିଶାକୁ ନୀଚା ଦେଖାଇବାକୁ ଯାଇ କହିଛନ୍ତି, ଓଡିଶାକୁ ବଙ୍ଗାଳି ମାନେ ଆବିଷ୍କାର କରିଥିଲେ । ଓଡିଶାର ସ୍ୱତନ୍ତ୍ରତା କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ । ତେବେ ଜଗନ୍ନାଥ ଓ ଓଡିଶା ସର୍ମ୍ପକରେ ୨୦୧୭ ମସିହାରେ ଟୁଇଟ୍ କରି ଏଭଳି ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ । ଯାହାକୁ ନେଇ ଏବେ ଓଡିଶାରେ ଝଡ ସୃଷ୍ଟି ହୋଇଛି ।

ଓଡିଶାର ପ୍ରତ୍ୟେକ ବ୍ୟକ୍ତି ଅଭିଜିତଙ୍କ ଏହି ପୁରୁଣା ପୋଷ୍ଟକୁ ନେଇ ତାଙ୍କୁ ନିନ୍ଦା କରିବା ସହ ଗିରଫ କରିବାକୁ ଦାବି କରିଛନ୍ତି । ଏପରିକି ଏହାକୁ ନେଇ ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଛି । ଏଥିପାଇଁ ଗୃହ ମଧ୍ୟରେ ବିଜେଡି ସଭ୍ୟ ମାନେ ହଟ୍ଟଗୋଳ ମଧ୍ୟ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଅଭିଜିତଙ୍କ ପରମ୍ପରା ବୋଧହୁଏ ଠିକ୍ ନାହିଁ । ଓଡିଆ ଜାତିକୁ କେହି ଆବିଷ୍କାର କରିନାହାନ୍ତି । ଜଗନ୍ନାଥ ପୂରା ବିଶ୍ୱର ଦେବତା । ତେଣୁ ଅଭିଜିତଙ୍କ କଥାକୁ ଏତେ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ । ଏହାଛଡା ତାଙ୍କର ମାନସିକ ବିକୃତି ଘଟିଛି ଏପରିକି ସେ ପାଗଳ ହୋଇ ଯାଇଛନ୍ତି । ତେଣୁ ପାଗଳ କୁକୁରକୁ ଯେପରି ବାନ୍ଧିକି ଚିକିତ୍ସା କରାଯାଏ ଠିକ୍ ସେହିଭଳି ତାଙ୍କୁ କରାଯିବାର ଆବଶ୍ୟକତା ରହିଛି ।

ସେହଭିଳି ଅଭିଜିତଙ୍କ ଟ୍ୱିଟ ପ୍ରସଙ୍ଗରେ ବୈଜୟନ୍ତଙ୍କ ପାଇଁ ଓକିଲାତି କରିଛନ୍ତି ଦାମ ରାଉତ । ସେ କହିଛନ୍ତି, ଜଗନ୍ନାଥ ହେଉଛନ୍ତି ଓଡିଶାର ସ୍ପନ୍ଦନ । ତେବେ ଜଗନ୍ନାଥଙ୍କୁ ଦେଖିବାକୁ ବଙ୍ଗଳାରୁ ୬୫ ପ୍ରତିଶତ ଭକ୍ତ ଆସିଥାନ୍ତି । ତା ଅର୍ଥ ନୁହେଁ ଜଗନ୍ନାଥ ବଙ୍ଗଲାର । ଅଭିଜିତ ଜଣେ ଅଜ୍ଞାନୀଙ୍କ ଭଳି କଥା କହିଛନ୍ତି । ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ବୁଲାଇବାକୁ ଆଣିଛନ୍ତି । ତେବେ ଏଥିରେ ବୈଜୟନ୍ତଙ୍କର କଣ ଦୋଷ ବୋଲି କହିଛନ୍ତି ଦାମ । ସେହିଭଳି ବିନାୟକ ଦାସ ମହାପାତ୍ର କହିଛନ୍ତି, ଏଭଳି ମନ୍ତବ୍ୟ ଆଦୌ ଠିକ୍ ନୁହେଁ । ଯେଉଁମାନଙ୍କର ଜଗନ୍ନାଥଙ୍କ ବିଷୟରେ ଧାରଣା ନାହିଁ ସେମାନେ ଏପରି କହିବା ଠିକ୍ ନୁହେଁ । ଆଇନ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା ଆବଶ୍ୟକ । ଏଭଳି କହି ଅଭିଜିତ ପୂରା ଓଡିଆ ଜାତିିକୁ ଅପମାନ କରିଛନ୍ତି ।

ଅଭିଜିତଙ୍କ ଏଭଳି ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇ ଥିବା ବେଳେ କିନ୍ତୁ ଏହା ବୈଜୟନ୍ତଙ୍କୁ ବୋଧହୁଏ ଫରକ ପଡିନଥିଲା । ଏପରିକି ଯେଉଁ ବ୍ୟକ୍ତି ଓଡିିଶା ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ଟ୍ୱିଟ କରୁଛନ୍ତି ତାଙ୍କୁ ନିଜ ହେଲିକପ୍ଟରରେ ବସାଇ ଚିଲିକାର ନୋ ଫ୍ଲାଇଂ ଜୋନରେ ଉଡାଇବାକୁ ଭୁଲିନଥିଲେ ବୈଜୟନ୍ତ । ଏପରିକି ଯେଉଁ ଜଗନ୍ନାଥଙ୍କୁ ନେଇ ଅଭିଜିତ ପୂର୍ବରୁ ପ୍ରଶ୍ନ ଉଠାଇଥିଲେ ସେହି ଜଗନ୍ନାଥ ମନ୍ଦିରକୁ ଦେଖାଇବା ପାଇଁ ଆକାଶମାର୍ଗରୁ ନିଜ ହେଲିକପ୍ଟରରେ ବସାଇ ବୁଲାଇଥିଲେ ବୈଜୟନ୍ତ । ଯାହାର ଭିଡିଓ ଟ୍ୱିଟରରେ ସେୟାର କରିଥିଲେ ଅଭିଜିତ ଆୟାର ମିତ୍ର । ଏପରିକି ସେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ନିନ୍ଦା କରିବା ସହ ଓଡିଆଙ୍କ ଧର୍ମୀୟ ଭାବନାକୁ ମଧ୍ୟ ଆଘାତ ଦେଇଛନ୍ତି । ମନ୍ଦିରରେ ଖୋଦିତ ହୋଇଥିବା କାମଉଦ୍ଦୀପକ ଚିତ୍ରକୁ ନେଇ ସେ ସମାଲୋଚନା କରିଛନ୍ତି । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ କହିଛନ୍ତି । ଏପରିକି ଏଭଳି ଅଶ୍ଳୀଳ ଚିତ୍ର ଆମ ନୂଆ ରାମମନ୍ଦିରରେ ରହିବ ନାହିଁ ବୋଲି କହିଥିଲେ । ଜଗନ୍ନାଥ ସଂସ୍କୃତି, ଓଡିଶା ତଥା ଓଡିଶାର ମନ୍ଦିରକୁ ନେଇ ଅପମାନସୂଚକ ମନ୍ତବ୍ୟ ଦେଉଥିବା ଅଭିଜିତଙ୍କୁ କିଭଳି ହେଲିକପ୍ଟରରେ ବସାଇ ବୈଜୟନ୍ତ ବୁଲାଇଲେ ତାହା ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।