ଝାରପଡ଼ା ଜେଲରେ କିଛି ବି ଖାଇବାକୁ ମନା କରିଦେଲେ ଅଭିଜିତ୍ ଆୟାର : ଗିରଫ ପରେ ଝାରପଡା ଜେଲରେ କଟିଲା ପ୍ରଥମ ରାତି

28

କନକ ବ୍ୟୁରୋ : ଝାରପଡା ଜେଲରେ ଅଭିଜିତ୍ ଆୟାର ପ୍ରଥମ ରାତିରେ କିଛି ଖାଇବାକୁ ମନା କରିଦେଇଛନ୍ତି । ଜେଲ ପକ୍ଷରୁ ତାଙ୍କୁ ରୁଟି ଓ ତରକାରୀ ଦିଆଯାଇଥିଲା । ହେଲେ ସେ ବାହାରୁ ଖାଇକି ଆସିଛନ୍ତି ବୋଲି କହିବା ସହ ଖାଇବାକୁ ମନା କରିଦେଇଥିଲେ । ୧୧ ନମ୍ବର ସେଲରେ ରହୁଥିବା ଅଭିଜିତଙ୍କ ବ୍ୟବହାର କିନ୍ତୁ ସ୍ୱାଭାବିକ ଥିଲା ବୋଲି ଜେଲ କର୍ତୁପକ୍ଷ କହିଛନ୍ତି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଝାରପଡା ଜେଲରେ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତରେ ଅଛନ୍ତି ଅଭିଜିତ୍ । ତାଙ୍କୁ କୋଣାର୍କ ପୁଲିସ ଆଜି ରିମାଣ୍ଡରେ ନେବାର ସମ୍ଭାବନା ରହିଛି ।

ଓଡିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪କୋଟି ଓଡିଆଙ୍କ ଭାବାବେଗକୁ କୁଠାରଘାତ କରିଥିବା ଅଭିଜିତ୍ ଆୟାରଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍ । ଗୃହ କମିଟିରେ ହାଜର ହେବା ପରେ ଗତକାଲି ତାଙ୍କୁ ଗିରଫ କରିଥିଲା ଶହୀଦ ନଗର ଥାନା ପୁଲିସ୍ । ଅଭିଜିତଙ୍କ ବିରୋଧରେ ଆଇପିସିର ଦଫା ୨୯୪ ଅର୍ଥାତ ଅଶାଳୀନ ଆଚରଣ, ୨୯୫-ଏ ଅର୍ଥାତ୍ ଧାର୍ମିକ ଭାବନାକୁ ଆଘାତ ଦେବା, ଦଫା ୫୦୦-ସମ୍ମାନ ହାନୀ କରିବା, ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଂଗ କରିବା ଏବଂ ଆଇଟି ଆକ୍ଟ ଦଫା ୬୭ରେ ମାମଲା ରୁଜୁ କରାଯାଇଛି । ଏସବୁ ଅଭିଯୋଗ ପ୍ରମାଣିତ ହେଲେ ଆଇନ୍ ଅନୁଯାୟୀ ଅଭିଜିତ୍ ଆୟରଙ୍କୁ ୪ ବର୍ଷ ଯାଏଁ ଦଣ୍ଡ ବିଧାନ ହୋଇପାରେ ।