ଶ୍ରୀମନ୍ଦିରରେ ତୁଟୁନି ସେବାୟତ ପ୍ରଶାସନ ବିବାଦ ! ଆଜି ବି ବାହାରିବନି ବରାଦି ଅବଢ଼ା, ଚାରି ଦିନ ହେଲା ମହାପ୍ରସାଦ ନ ପାଇ ଭକ୍ତ ନିରାଶ

36

କନକ ବ୍ୟୁରୋ : ଭକ୍ତ ନିରାଶ । ଆଜି ବି ଶ୍ରୀମନ୍ଦିରରେ ବାହାରିବନି ବରାଦି ଅବଢା । ଚାରି ଦିବ ହେବ ସୁଆର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ଭକ୍ତ ମହାପ୍ରସାଦ ପାଇନାହାନ୍ତି । ମହାପ୍ରଭୁଙ୍କ ନିକଟରେ କୋଠଭୋଗ ହେଉଥିଲେ ବି ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲି କୋଠଭୋଗ ଭକ୍ତଙ୍କୁ ବଂଟା ଯାଇଥିଲା । ପ୍ରଶାସନ ସହ ବିବାଦ ଯୋଗୁଁ ଅବଢା ବାହାର କରିବାକୁ ମନାକରିଦେଇଛନ୍ତି ସୁଆର-ମହାସୁଆର ସେବାୟତ । ୩ ଦିନ ତଳେ ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସୁଆର ମହାସୁଆର ନିଯୋଗ ।

ସେପଟେ ଶ୍ରୀମନ୍ଦିରରେ ଅଚଳାବସ୍ଥା ଲାଗିରହିଥିବାବେଳେ ରଥଯାତ୍ରା ନୀତି ଆରମ୍ଭରୁ ବିଳମ୍ବ ହୋଇଛି । ରାତିରେ ହୋଇଛି ରଥକାଠ ଅନୁକୂଳ । ଚାପଖେଳ ବି ବିଳମ୍ବିତ ହୋଇଛି । ଅପରାହ୍ନ ୩ଟାରେ ହେବାକୁ ଥିବା ରଥକାଠ ଅନୁକୂଳ ସନ୍ଧ୍ୟା ୭ଟାରେ ସରିଥିଲା ।

ସେହିଭଳି ଶ୍ରୀମନ୍ଦିରରେ ବିଶୃଙ୍ଖଳା ଲାଗିରହିିଥିବା ବେଳେ ପୁରୀରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ବିଳମ୍ବରେ ଚାପକୁ ବାହାରିଥିଲେ ଶ୍ରୀବିଗ୍ରହ । ନରେନ୍ଦ୍ର ପୁଷ୍କରିଣୀରେ ଡଙ୍ଗାରେ ପ୍ରଭୁ ଜଳକ୍ରୀଡା କରିଛନ୍ତି । ପ୍ରବଳ ଖରାରୁ ଉପଶମ ଦେବା ପାଇଁ ଶ୍ରୀଜିଉମାନଙ୍କ ବିଜେ ପ୍ରତିମାଙ୍କୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳାଯାଇଛି । ମହାପ୍ରଭୂଙ୍କ ଆଜ୍ଞାମାଳ ନେଇ ଭୂଦେବୀ ଶ୍ରୀଦେବୀଙ୍କ ସହ ଜଳକ୍ରୀଡା କରିଛନ୍ତି ମଦନମୋହନ । ନରେନ୍ଦ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଚନ୍ଦନଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି ।

ସେପଟେ ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରଟୀ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଲାଗିଲା ଏହି କିରଟୀ । ଏହି କିରଟିର ଓଜନ ୭୫୫ ଗ୍ରାମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କିରଟି ଲଗାଯାଇଛି । ପୂର୍ବରୁ ଏଥିପାଇଁ ଦାବି ହୋଇଥିଲା । ଆଉ ଅକ୍ଷୟ ତୃତୀୟାରେ ଏହାକୁ ଲାଗି କରାଯାଇଛି ।