କାର୍ତ୍ତିକ ମାସରେ ମହଙ୍ଗା ହେଲା ଅବଢ଼ା ଦର ।

143

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଆଜି ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ମହାପ୍ରସାଦ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଜି ପୁରୀ ଆସିଥିବା ଭକ୍ତ । କାର୍ତ୍ତିକମାସର ଆଜି ସୋମବାର ହୋଇଥିବାରୁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଗହଳି ଦେଖିବାକୁ ମିଲିଥିଲା । ହବିଷ୍ୟାଆଳୀମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରରୁ ଛୁଟି ଆସିଥିଲେ । କିନ୍ତୁ ମହାପ୍ରସାଦର ଦରକୁ ନେଇ ଆଜି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସାଧାରଣତଃ କାର୍ତ୍ତିକ ମାସରେ ପନିପରିବାର ଦର ଟିକିଏ ଅଧିକ ରହିଥାଏ । ଆଉ ସେହି କାରଣରୁ ଅବଢା ଦର ଅଧିକ ରହିଥିବା କୁହାଯାଉଛି । କିନ୍ତୁ ଅଧିକାଂଶ ସାଧାରଣ ଲୋକ ଶ୍ରୀମନ୍ଦିର ଆସୁଛନ୍ତି । ତେଣୁ ଅବଢା ଦର ବୃଦ୍ଧିପାଉଥିବାରୁ ଅଧିକାଂଶ ଶ୍ରଦ୍ଧାଳୁ ମହାପ୍ରସାଦ ସେବନ କରିବାରୁ ବଞ୍ଚିତ ରହୁଛନ୍ତି । ମହାପ୍ରସାଦ ଦର ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ସରକାର କହିଥିଲେ ମଧ୍ୟ ଅବଢା ଦର ବଢି ବଢି ଚାଲିଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି । ଦର କମିଲେ ସମସ୍ତେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।