ଅବଢ଼ା ବିକ୍ରି ପାଇଁ ତିଆରି ହେବ ପିଣ୍ଡି : ଆନନ୍ଦ ବଜାରରୁ ତଡ଼ାଖାଇବେ ଅଣସ୍ବୀକୃତ ବିକ୍ରେତା

124

କନକ ବ୍ୟୁରୋ : ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ସ୍ବୀକୃତିପ୍ରାପ୍ତ ବିକ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ ହେବ । ଅବଢ଼ା ବିକ୍ରି କରି ଅଣସ୍ବୀକୃତ ବିକ୍ରେତା ଧରାପଡ଼ିଲେ ତଡ଼ା ଖାଇବେ । ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କ୍ରେତାମାନଙ୍କର ଯଦି କିଛି ଅଭିଯୋଗ ଥାଏ ସେମାନେ ଆନନ୍ଦ ବଜାରସ୍ଥିତ ଅଭିଯୋଗ କେନ୍ଦ୍ରରେ ଅଭିଯୋଗ କରିପାରିବେ । ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଆଜି ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଅବଢ଼ା ବିକ୍ରି ପାଇଁ ୪୮ଟି ପିଣ୍ଡି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ କାର୍ତିକ ପରେ ଅବଢା ଦର ତାଲିକା ଲଗାଯିବାକୁ ସ୍ଥିର ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅବଢ଼ା କିଣାକୁ ନେଇ ବାରମ୍ବାର ବିଶୃଙ୍ଖଳା ଉପୁଜୁଛି । ଭକ୍ତମାନେ ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି । ଧାର୍ଯ୍ୟ ଦରଠାରୁ ତିନିଗୁଣା ଅଧିକ ଦରରେ ଅବଢ଼ା ବିକ୍ରି ହେଉଥିବା ବେଳେ ଭକ୍ତମା‌ନେ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଆନନ୍ଦ ବଜାରର ଏଭଳି ଅବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ସହ ଅବଢ଼ା ଦରଦାମରେ ଲଗାମ କଷିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ସୁଆର ମହାସୁଆର ନିଯୋଗର ବୈଠକ ଡାକିଥିଲା ।

ବୈଠକରେ ବିସ୍ତୃତ ଆଲୋଚନା ପରେ ଆନନ୍ଦ ବଜାରରେ ୪୮ ପିଣ୍ଡି କରି ସେଠାରେ ଅବଢ଼ା ବିକ୍ରି କରିବାକୁ ନିଷ୍ପତ୍ତି ହୋଇଛି । ତେବେ କିଏ କେଉଁ ପିଣ୍ଡିରେ ବସିବ, ତାର ଦାୟିତ୍ବ ସୁଆର ମହାସୁଆର ନିଯୋଗ ଉପରେ ନ୍ୟସ୍ତ କରାଯାଇଛି । ସୁଆର ମହାସୁଆର ନିଯୋଗ ଦୈନିକ ଏହି ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେବ । ସେହି ଅନୁଯାୟୀ ବିକ୍ରେତାମାନେ ପିଣ୍ଡିରେ ବସି ଅବଢ଼ା ବିକ୍ରି କରିବେ । ଅଧିକାଂଶ ସମୟ ବେଆଇନ୍ ଭାବେ ଅବଢ଼ା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ରୋକ୍ ଲଗାଇବା ପାଇଁ ବିକ୍ରେତା ଓ ସେମାନଙ୍କ ସହଯୋଗୀ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

abadha
image courtesy-https://www.google.co.in

ଏମାନଙ୍କ ବ୍ୟତୀତ ଅନ୍ୟ କେହି ଅବଢ଼ା ବିକ୍ରି କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କୋଠ ଭୋଗରେ ଅବଢ଼ା ରୋଷେଇ କରି ଦର ତାଲିକା ଧାର୍ଯ୍ୟ କରିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁଯାୟୀ କୋଠ ଭୋଗରେ ଅବଢ଼ା ରୋଷେଇ ପରେ ଦର ତାଲିକା ଧାର୍ଯ୍ୟ ହେବ । ଏହାକୁ କାର୍ତିକ ପରେ ଆନନ୍ଦ ବଜାରରେ ସର୍ବସାଧାରଣଙ୍କ ପାଇଁ ଲଗାଯିବ ।

abadha

ଆନନ୍ଦ ବଜାରରେ କେଉଁ କେଉଁ ସ୍ଥାନରେ ଅଭିଯୋଗ ବାକ୍ସ ଲାଗିବ ତାହା ଉପରେ ଆଲୋଚନା ହୋଇଥିବା ବେଳେ ଏହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ‌ହୋଇଛି । ଅଁଳା ନବମୀ, ପଞ୍ଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରରେ ଭିଡ଼ ଲଗାଇବେ । ସେହି ଦୃଷ୍ଟିରୁ ଏହାକୁ କାର୍ତିକ ପରେ ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।