ଦୋଷ କରିଛି କିଏ ଦଣ୍ଡ ପାଉଛି କିଏ ! ବିବାହ ପାଇଁ ଆସୁଥିବା ବରକୁ ଅଧାବାଟରୁ ଉଠାଇ ନେଲା ପୁଲିସ, ମଙ୍ଗୁଳା ହୋଇ ସ୍ୱାମୀ ଅପେକ୍ଷାରେ କନ୍ୟା ।

379

କନକ ବ୍ୟୁରୋ : ବର ଜେଲରେ କନିଆ ଭଙ୍ଗା କୁଡିଆରେ । ଏମିତି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କରେ । ବରକୁ ଅଧା ରାସ୍ତାରୁ ପୁଲିସ ଉଠାଇ ନେବା ପରେ ହାତରେ ମେହେନ୍ଦି ପାଦରେ ଅଳତା ନାହିଁ ଅପେକ୍ଷା କରିଛି ମଙ୍ଗୁଳା କନିଆ । ଦୋଷ କରିଛି କିଏ? ଆଉ ଦଣ୍ଡ ପାଉଛି କିଏ? ବିବାହ ଅପେକ୍ଷାରେ ରହିଛି ମଙ୍ଗୁଳା କନ୍ୟା ।

ଭଙ୍ଗା କୁଡିଆରେ ମଙ୍ଗୁଳା କନ୍ୟା । ଦିନେ କି ଦୁଇ ଦିନ ନୁହେଁ ୪ ଦିନ ହେଲା ହାତରେ ମେହେନ୍ଦି, ମଥାରେ ସିନ୍ଦୁର, ହାତରେ ସଂଖା, ପାଦରେ ଅଳତା ପିନ୍ଧି ବର ଅପେକ୍ଷାରେ ବସିଛି ମଙ୍ଗୁଳା କନ୍ୟା । ସେ, ଜାଣି ସାରିଛି ଆଉ ବର ଆସିବ ନାହିଁ, ତଥାପି ଅପେକ୍ଷା ସରିନି କି ଆଶା ମରିନି । ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ଅଂଚଳରେ ।

ଫେବ୍ରୁଆରୀ ୧ ତାରିଖରେ ଥିଲା ବାହାଘର । ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ଅପେକ୍ଷା ଥିଲା ବର କେତେବେଳେ ଆସିବ ଆଉ ହାତଗଣ୍ଠି ପଡିବ । ହେଲେ ସେମିତି କିଛି ବି ହେଲାନି । କାହିଁକି ନା ବର ଆସୁଥିବା ବେଳେ ଅଧାବାଟରୁ ବରକୁ ଉଠାଇ ନେଲା ପୋଲିସ । କାରଣ ସେ ଆଉ ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ପରେ କୋର୍ଟରେ ବିବାହ କରିସାରିଥିଲା । ନାବାଳିକା ଜଣଙ୍କ ଆଇନର ଆଶ୍ରୟ ନେବା ପରେ ଆକ୍ସନକୁ ଆସିଥିଲା ପୋଲିସ । ଆଇନର ଫାନ୍ଦ ଭିତରେ ଛନ୍ଦି ହୋଇଯାଇଛି ବାହାଘର । ସ୍ୱାମୀକୁ ପାଇବା ପାଇଁ ଜଣେ ନାବାଳିକା ଆଇନର ଆଶ୍ରୟ ନେଇଥିବା ବେଳେ ସ୍ୱାମୀ ରୂପେ ପାଇବା ପାଇଁ ଆଉ ଜଣେ ଝିଅ ମଙ୍ଗୁଳାକନ୍ୟା ହୋଇ ଅପେକ୍ଷା କରି ବସିଛି ।