ଆରୁଷି-ହେମରାଜ ହତ୍ୟା ମାମଲା ! ୪ ବର୍ଷ ପରେ ମୁକୁଳିଲେ ତଲୱାର ଦମ୍ପତି

29

କନକ ବ୍ୟୁରୋ : ୪ ବର୍ଷ ପରେ ମୁକ୍ତିର ଆନନ୍ଦ । ଆଜି ଜେଲରୁ ବାହାରିଛନ୍ତି ତଲୱାର ଦମ୍ପତି । କଡା ସୁରକ୍ଷା ମଧ୍ୟରେ ଡାକ୍ତର ଦମ୍ପତିଙ୍କୁ ଜେଲରୁ ନେଇ ଘରେ ଛାଡିଛି ପୋଲିସ । ଝିଅ ଆରୁଷି ହତ୍ୟା ମାମଲାରେ ରାଜେଶ ତଲୱାର ଓ ନୂପୁର ତଲୱାରଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ଗତ ଗୁରୁବାର ଅହ୍ଲାବାଦ ହାଇକୋର୍ଟ ପ୍ରମାଣ ଅଭାବରୁ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ପରେ ଆଋଷିଙ୍କ ହତ୍ୟା କାହାଣୀରେ ନୂଆ ମୋଡ ଆସିଯାଇଛି ଏବଂ ସମସ୍ତେ ଅନୁଭବ କରୁଛନ୍ତି ନିର୍ଦ୍ଦୋଷ ବାପା-ମାଆଙ୍କୁ ଜେଲ ଭିତରେ ବନ୍ଦ କରିଦିଆଯାଇଛି । ଝିଅ ଆରୁଷି ହତ୍ୟା ମାମଲାରେ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ବି ତଲୱାର ଦମ୍ପତିଙ୍କ ମନରୁ ଝିଅକୁ ହରାଇବାର ଦୁଃଖ ଯାଇନାହିଁ ।

ଇଏ ଏକ ଏମିତି କାହାଣୀ, ଯାହାକୁ ବୟାନ କରିବା ସହଜ ନୁହେଁ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଗୋଟିଏ ପଟେ ସେହି ଝିଅର ହତ୍ୟା ଅଭିଯୋଗରେ ଜେଲ୍ ଦଣ୍ଡ । କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଏସବୁ ପ୍ରଶ୍ନ ଓ ଆଇନ୍ର ଅକ୍ଟୋପସ୍ ଜାଲ ଭିତରେ ଛନ୍ଦି ହୋଇଯାଇଥିଲେ ତଲୱାର ଦମ୍ପତି । ଶେଷରେ ଅହ୍ଲାବାଦ ହାଇକୋର୍ଟ କହିଲେ, ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଜଜ୍, ଜଣେ ଫିଲ୍ମ ଡାଇରେକ୍ଟର ଓ ଗଣିତ ମାଷ୍ଟର ଭଳି ତରବରିଆ ଭାବେ ବିଚାର କରି ଦଣ୍ଡ ଶୁଣାଇଦେଲେ ।

ନଭେମ୍ବର ୨୦୧୩ ରୁ ପାଖାପାଖି ୪ ବର୍ଷ ହେଲା ଦାସନା ଜେଲରେ ବନ୍ଦୀ ଥିଲେ ତଲୱାର ଦମ୍ପତି । ଗତ ଗୁରୁବାର ଅହ୍ଲାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଝିଅ ଆରୁଷି ହତ୍ୟା ମାମଲାରେ ଦୋଷମୁକ୍ତ କରିଥିଲେ ବି କୋର୍ଟଙ୍କ ରାୟ କପି ଜେଲରେ ପହଂଚିପାରିନଥିଲା । ଆଉ ମଝିରେ ପଡିଗଲା ଶନିବାର ଓ ରବିବାର ଛୁଟିଦିନ । ଜେଲରେ ରହିବା ସମୟରେ ଡାକ୍ତର ଦମ୍ପତି ଜେଲରେ ଥିବା ଅନ୍ୟ କଏଦୀଙ୍କ ଦାନ୍ତ ଚିକିତ୍ସା କରୁଥିଲେ । ତେବେ ଜେଲରୁ ମୁକ୍ତ ହେବା ପରେ ବି ପ୍ରତି ୧୫ଦିନରେ ଥରେ ସେମାନେ ଜେଲ ଯାଇ ସେଠାରେ କଏଦୀଙ୍କ ଚିକିତ୍ସା କରିବେ ବୋଲି ଜଣାପଡିଛି ।